ତିରୁପତି ମନ୍ଦିର ଲଡୁ ବିବାଦ: ଘଟଣାର ତଦନ୍ତ କରିବ ଏସଆଇଟି
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ତିରୁପତି ପ୍ରସାଦ ଲଡୁରେ ଚର୍ବି ମିଶିବା ଅଭିଯୋଗ ଉପରେ ଏସଆଇଟି ତଦନ୍ତ କରାଯିବ। ସେ କହିଛନ୍ତି ଯେ ଲୋକଙ୍କ ଭାବନା ସହିତ ଖେଳିବା ସହ୍ୟ କରାଯିବ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପୂର୍ବରୁ ତାଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଭିଯୋଗ କରିଥିଲା ଯେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ଭୂମନା କରୁଣାକର ରେଡ୍ଡୀ ଓ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ବି ଧର୍ମା ରେଡ୍ଡୀ ମନ୍ଦିର ପରିଚାଳନାରେ ଗତ ୫ ବର୍ଷରେ ଅନେକ ଅନିୟମିତତା କରିଛନ୍ତି । ଏଥିପାଇଁ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ଦଳ କହିଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ସେ ପୂରା ବ୍ୟବସ୍ଥାକୁ ସଫା କରିବେ ।
ୱାଇଏସ୍ଆରସିପି ସରକାର ଅମଳରେ ସବୁ ଅନିୟମିତତା ହୋଇଥିଲା । ଗତ ୫ ବର୍ଷରେ ତିରୁମାଲାରେ ଅନେକ ଅପବିତ୍ର କାର୍ଯ୍ୟ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ତାଙ୍କର ନିକଟତର ଥିବା ଲୋକଙ୍କୁ ଟିଟିଡି ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ ଓ ଏହାକୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁଥିଲେ।
ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆରସିପି ନେତା ୱାଇ ଏସ୍ ଜଗନମୋହନ ରେଡ୍ଡୀ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ କହିଛନ୍ତି ନାଇଡୁ ଜଣେ ଅଭ୍ୟାସଗତ ମିଛୁଆ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ସେ କୋଟି କୋଟି ଲୋକଙ୍କୁ ବିଶ୍ୱାସକୁ ଆଘାତ ଦେଇଛନ୍ତି ।
ସେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ଆହୁରି ଲେଖିଛନ୍ତି ଯେ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ କେବଳ ଭାରତୀୟମାନେ ପୂଜା କରନ୍ତିନି । ବିଦେଶରେ ମଧ୍ୟ କୋଟି କୋଟି ହିନ୍ଦୁ ଭକ୍ତ ତାଙ୍କୁ ଆରାଧ୍ୟ ମଣନ୍ତି।
ଯଦି ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ସାବଧାନତାର ସହ ପରିଚାଳନା କରାନଯାଏ, ତା'ହେଲେ ଏହି ମିଛ ବ୍ୟାପକ କ୍ଷତି ପହଞ୍ଚାଇପାରେ। ଭକ୍ତଙ୍କ ବିଶ୍ୱାସ ଓ ଭରସାକୁ ପୁନଃସ୍ଥାପିତ କରି ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜଗନ ମୋହନ ରେଡ୍ଡୀ।












Click it and Unblock the Notifications