ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶିବା ମାମଲା; ସୁପ୍ରିମକୋର୍ଟରେ ପହଞ୍ଚିଲା କଥା

ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡୁ ପାଇଁ ବ୍ୟବହୃତ ଘିଅରେ ଗାଈ, ଘୁଷୁରୀ ଭଳି ପଶୁଙ୍କ ଚର୍ବି ମିଶଯାଉଛି ବୋଲି ଯେଉଁ ଅଭିଯୋଗ ହୋଇଛି। ତାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି।

Tirupati Temple Ladu

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଏହି ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ମଗାଇଥିବା ଜଣାପଡିଛି। ରିପୋର୍ଟ ହସ୍ତଗତ ହେବାପରେ ଏ ପ୍ରସଙ୍ଗରେ ସତ୍ୟାସତ୍ୟ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟିର ସହାୟତା ଲୋଡାଯିବ ବୋଲି ନଡ୍ଡା କହିଛନ୍ତି। ତିରୁପତି ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଲଡୁରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଛି ବୋଲି ନାଇଡୁ ଗତ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ। ଆନ୍ଧ୍ରରେ ପୂର୍ବରୁ କ୍ଷମତାସୀନ ଜଗନ ରେଡ୍ଡିଙ୍କ ସରକାର ଏଭଳି ବ୍ୟବସ୍ଥା କରିଥିବା ନାଇଡୁ କହିଛନ୍ତି। ସହସ୍ରାଧିକ ଭକ୍ତ ଦୈନନ୍ଦିନ ତିରୁପତି ମନ୍ଦିର ପରିଦର୍ଶନ କରୁଥିବାବେଳେ ପ୍ରସାଦ ଭାବେ ସେମାନଙ୍କୁ ଏହି ଲଡୁ ବଣ୍ଟନ କରାଯାଇଥାଏ। ତେଣୁ ଭକ୍ତଙ୍କ ଧାର୍ମିକ ମନୋଭାବ ସହ ଏଭଳି ଚକ୍ରାନ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନାଇଡୁ କହିଛନ୍ତି।

ଅପରପକ୍ଷରେ ନାଇଡୁଙ୍କ ଏଭଳି ଅଭିଯୋଗକୁ ୱାଇଏସଆର କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ରାଜନୈତିକ ଫାଇଦା ଉଠାଇବାକୁ ନାଇଡୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଥିବା ୱାଇଏସଆର କଂଗ୍ରସ ପକ୍ଷରୁ କୁହାଯାଇଛି। ରାଜନୀତି ସହ ଧର୍ମକୁ ନ ଯୋଡିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଇତିମଧ୍ୟରେ ନାଇଡୁଙ୍କୁ ପରାମର୍ଶ ଦେଇଛନ୍ତି। ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ପରିଚାଳନା ବୋର୍ଡ ଅଧ୍ୟକ୍ଷ କରୁଣାକର ରେଡ୍ଡି ନିକଟରେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରିବାକୁ ନାଇଡୁଙ୍କ ସରକାର ଏଭଳି ଚକ୍ରାନ୍ତ ଚଳାଇଛନ୍ତି। ଲଡୁରେ କୌଣସି ପଶୁ ଚର୍ବି ମିଶ୍ରଣ କରାଯାଉନଥିବା ସେ ସ୍ପଷ୍ଟ କରିଛନ୍ତି।

ଲଡୁ ପ୍ରସଙ୍ଗ ନେଇ ଜଣେ ଆଇନଜୀବୀ ଶୁକ୍ରବାର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ହିନ୍ଦୁ ସଂପ୍ରଦାୟଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବାବେଳେ ସେମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାରାଘାତ କରାଯାଇଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି। ଭକ୍ତମାନେ ଠାକୁରଙ୍କ ପ୍ରସାଦ ଭାବେ ଲଡୁ ସେବନ କରୁଥିବାବେଳେ ଲଡୁରେ ପଶୁ ଚର୍ବି ମିଶ୍ରଣ ଜଘନ୍ୟ ଅପରାଧ ବୋଲି କୁହାଯାଇଛି। ଏ ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ତିରୁପତି ମନ୍ଦିର ପରିଚାଳନା ବୋର୍ଡକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+