ଆରବିଆଇ କାର୍ଯ୍ୟାଳୟକୁ ଉଡାଇ ଦେବା ପାଇଁ ମେଲ୍ରେ ଧମକ୍, ଗଭର୍ନର-ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି
ମୁମ୍ବାଇ:ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛନ୍ତି ଏକ ଅଜଣା ବ୍ୟକ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଆରବିଆଇ ବ୍ୟତୀତ ଏଚଡ଼ିଏଫସି, ଆଇସିଆଇସିଆଇ ଏବଂ ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଥିଲା ବେଳେ ପୋଲିସ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଯାଇ ତଦନ୍ତ ଆରମ୍ଭ କରିଛି ।
ଏଭଳି ଖବର ପ୍ରସାରିତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ । ମେଲରେ ଲେଖା ଅଛି,ଯେ, "ଆମେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୧ ଟି ବୋମା ରଖିଛୁ ।

ବେସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ସହଯୋଗରେ ଆରବିଆଇ ଭାରତର ସବୁଠୁ ବଡ ସ୍କାମ କରିଛି । ଏହି ଦୁର୍ନୀତିରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କିଛି ବରିଷ୍ଠ ଅର୍ଥ ଅଧିକାରୀ ଏବଂ ଭାରତର କିଛି ପ୍ରସିଦ୍ଧ ମନ୍ତ୍ରୀ ଜଡିତ ଅଛନ୍ତି । ଆମେ ଯେଉଁ ଅଭିଯୋଗ କରିଛୁ ତାହାର ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି । "
ମେଲରେ ତିନୋଟି ସ୍ଥାନ ଉଲ୍ଲେଖ ଥିଲା ଯେଉଁଠାରେ ବୋମା ଲଗାଯାଇଥିଲା
୧.ଆରବିଆଇର ନୂଆ କେନ୍ଦ୍ରୀୟ କାର୍ଯ୍ୟାଳୟ ବିଲଡିଂ
୨.ଏଚଡିଏଫସି ହାଉସ୍ ଚର୍ଚ୍ଚଗେଟ୍
୩.ଆଇସିଆଇସିଆଇ ବ୍ୟାଙ୍କ ଟାୱାର୍ସ ବିକେସି
ଏହି ମେଲରେ ଆହୁରି ଲେଖା ଅଛି, "ଆମେ ଦାବି କରୁଛୁ ଯେ ଉଭୟ ଆରବିଆଇ ଗଭର୍ଣ୍ଣର ଏବଂ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ଏହି ଘୋଟାଲାର ସମ୍ପୂର୍ଣ୍ଣ ଖୁଲାସା ସହିତ ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ । ଆମେ ମଧ୍ୟ ଦାବି କରୁଛୁ ଯେ ସରକାର ଏହି ସ୍କାମରେ ଜଡିତ ଥିବା ସମସ୍ତଙ୍କୁ ଉଚିତ ଦଣ୍ଡ ଦିଅନ୍ତୁ । ଯଦି ରାତି ୧:୩୦ ପୂର୍ବରୁ ଆମର ଦାବି ପୂରଣ ନହୁଏ ତେବେ ସମସ୍ତ ୧୧ ଟି ବୋମା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରିବୁ । "
ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ସ୍ଥାନରେ ବ୍ୟାପକ ଅନୁସନ୍ଧାନ କରିଥିଲା । ତେବେ ସନ୍ଧାନରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ପୋଲିସକୁ । ଏହି ଘଟଣା ସମ୍ପର୍କରେ ଏମଆରଏ ମାର୍ଗ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।












Click it and Unblock the Notifications