'ଯେଉଁମାନେ କୌଣସି ଧର୍ମକୁ ଅପମାନ କରୁଛନ୍ତି ସେମାନଙ୍କୁ ଦିଆଯିବ କଠୋର ଦଣ୍ଡ'
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାର ଅନ୍ୟ ଧର୍ମକୁ ଅପମାନ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ବିଧାନସଭାରେ ଏକ ନୂତନ ଆଇନ ଆଗତ କରିବେ। ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ, ତାଙ୍କ ସରକାର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ବିଦ୍ୟମାନ ଆଇନରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରିବେ। ଏଲବି ଷ୍ଟାଡିୟମରେ ଖ୍ରୀଷ୍ଟମାସ ପାଳନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସମସ୍ତ ଧର୍ମ ମଧ୍ୟରେ ପାରସ୍ପରିକ ସମ୍ମାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସରକାର ପୂର୍ବରୁ ଧାର୍ମିକ ଘୃଣା ଏବଂ ଆକ୍ରମଣ ଘଟଣା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିସାରିଛନ୍ତି।

ଧର୍ମନିରପେକ୍ଷତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ରେବନ୍ତ ରେଡ୍ଡୀ କହିଛନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ପାଇବା ପାଇଁ ହକଦାର। ସେ ଆଶ୍ୱାସନା ଦେଇଛନ୍ତି, ଖ୍ରୀଷ୍ଟିଆନ ଏବଂ ମୁସଲିମ କବରସ୍ଥାନ ସହିତ ଜଡିତ ଥିବା ସମସ୍ୟାଗୁଡ଼ିକର ଖୁବ୍ ଶୀଘ୍ର ସମାଧାନ କରାଯିବ। ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୀଶୁ ଖ୍ରୀଷ୍ଟ ମାନବଜାତି ପାଇଁ ପ୍ରେମ, ଶାନ୍ତି ଏବଂ ସେବାର ବାର୍ତ୍ତା ପ୍ରଚାର କରିଥିଲେ। ସେ ଲୋକମାନଙ୍କୁ ମନେ ପକାଇ ଦେଇଛନ୍ତି, ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କୁ ମଧ୍ୟ ଭଲ ପାଅ।
ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସକୁ ତେଲେଙ୍ଗାନା ଏବଂ କଂଗ୍ରେସ ଦଳ ପାଇଁ ଏକ ବିଶେଷ ମାସ ଭାବରେ ବର୍ଣ୍ଣନା କରି ଉଲ୍ଲେଖ କରି କହିଛନ୍ତି, ତେଲେଙ୍ଗାନାର ରାଜ୍ୟ ମାନ୍ୟତା ଏବଂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଉଭୟ ଡିସେମ୍ବରରେ ପଡ଼ିଥାଏ। ସେ କହିଛନ୍ତି, ସରକାର ଇନ୍ଦିରାମ୍ମା ଗୃହ, ମହିଳାଙ୍କ ପାଇଁ ମାଗଣା RTC ଯାତ୍ରା ଏବଂ ଗରିବ ପରିବାର ପାଇଁ ମାଗଣା ବିଦ୍ୟୁତ୍ ଭଳି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେ ପୁନରାବୃତ୍ତି କରିଛନ୍ତି "ତେଲେଙ୍ଗାନା ରାଇଜିଂ ୨୦୪୭" ଦୃଷ୍ଟିକୋଣ ଅନ୍ତର୍ଗତ ତେଲେଙ୍ଗାନା ବିକାଶ ଏବଂ କଲ୍ୟାଣରେ ଏକ ଅଗ୍ରଣୀ ରାଜ୍ୟ ହେବା ଦିଗରେ ସ୍ଥିର ଭାବରେ କାର୍ଯ୍ୟ ଜାରି ରଖିଛି।
କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଉପରେ ହିନ୍ଦୁ ଧର୍ମର ଅପମାନ କରିଥିବା ଅଭିଯୋଗ ହୋଇଥିଲା । ଏକ କାର୍ଯ୍ୟକ୍ରମରେ ସେ ହିନ୍ଦୁ ଧର୍ମର ପରିହାସ କରି କହିଥିଲେ ଯେ, "ହିନ୍ଦୁମାନେ କେତେ ଦେବତାଙ୍କୁ ବିଶ୍ୱାସ କରନ୍ତି? ୩୦ ନିୟୁତ କି? ଅବିବାହିତାଙ୍କ ପାଇଁ ଜଣେ ଦେବତା ହନୁମାନ ଅଛନ୍ତି, ଦୁଇଥର ବିବାହ କରୁଥିବା ଲୋକଙ୍କ ପାଇଁ ଆଉ ଜଣେ, ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଆଉ ଗଣେ ଏବଂ କୁକୁଡ଼ା ବଳି ଦେବା ପାଇଁ ଆଉ ଜଣେ ଦେବତା ଅଛନ୍ତି।" ବିଜେପି ଏବଂ ବିଆରଏସ ଏହି ବିବୃତିର କଡ଼ା ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ।












Click it and Unblock the Notifications