ଏଥର ପ୍ରବଳ ଶୀତରେ ଥରିବ ସାରା ଦେଶ ; ଏହି ସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ
ଏଥର ପ୍ରବଳ ଶୀତରେ ଥରିବ ସାରା ଦେଶ । ଦେଶରେ ଆଗାମୀ ଶୀତ ଋତୁକୁ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବଡ଼ ଅପଡେଟ୍ ଦେଇଛନ୍ତି। ଆଇଏମଡି କହିଛନ୍ତି ଚଳିତ ମାସରେ 'ଲା ନିନା' ଆରମ୍ଭ ହୋଇପାରେ। ଏଣୁ ସାରା ଦେଶରେ ତାପମାତ୍ରାରେ ହ୍ରାସ ଓ ବର୍ଷା ବଢିବାର ସମ୍ଭାବନା ରହିଛି। ଫଳରେ ଶୀତ ଦିନେ କିଛି ରାଜ୍ୟର ତାପମାତ୍ରା ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସତର୍କ କରିଛନ୍ତି।

ଆଇଏମଡିଙ୍କ ଘୋଷଣା ଅନୁସାରେ ଚଳିତବର୍ଷ ଲା ନିନା କାରଣରୁ ଶୀତ ଋତୁରେ ଭୀଷଣ ଥଣ୍ଡା ପଡିବ। ଲା ନିନା ଏପ୍ରିଲ ଓ ଜୁନ ମାସ ମଧ୍ୟରେ ହୋଇଥାଏ ଏବଂ ଅକ୍ଟୋବର ଓ ଫେବୃଆରୀ ମଧ୍ୟରେ ଏହା ମଜଭୁତ ହୋଇଥାଏ। ଲା ନିନାର ପ୍ରଭାବ ୯ ମାସରୁ ଆରମ୍ଭ କରି ୨ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହି ପ୍ରାକୃତିକ ପ୍ରଭାବ ସମୁଦ୍ର ପାଣିକୁ ପଶ୍ଚିମ ଦିଗକୁ ଠେଲିବା ପାଇଁ ପୂର୍ବା ପବନକୁ ସଞ୍ଚାଳିତ କରିଥାଏ। ଫଳରେ ସମୁଦ୍ର ପୃଷ୍ଟ ଥଣ୍ଡା ରହିଥାଏ। ଏଣୁ ଦେଶରେ ଭୀଷଣ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।
ଚଳିତବର୍ଷ ଶୀତ ଦିନେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଭଳି ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ଭୀଷଣ ଶୀତ ଅନୁଭୂତ ହୋଇପାରେ। କେତେକ ସ୍ଥାନରେ ପାରଦ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ। ଅତ୍ୟଧିକ ଥଣ୍ଡା ଓ ବର୍ଷା ଶୀତଦିନିଆ ଫସଲକୁ ପ୍ରଭାବିତ କରିପାରେ। ଚଳିତବର୍ଷ ବର୍ଷା ଋତୁ ପ୍ରାରମ୍ଭରୁ ଲା ନିନା ପ୍ରଭାବ ଅନୁଭୂତ ହେଉଛି। ଚଳିତ ବର୍ଷର ମୌସୁମୀ ସେପ୍ଟେମ୍ବର ମାସରେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏବେ ଦେଶରୁ ବର୍ଷା ଅପସରିଯିବା ସହ ଶୀତ ଋତୁର ଆଗମନ ହେବ।












Click it and Unblock the Notifications