ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ ଦେଲେ ଖଲିସ୍ତାନ ସମର୍ଥକ
କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଜଣେ ତଦନ୍ତକାରୀ ସାମ୍ବାଦିକଙ୍କୁ ଧମକାଇବାର ଏକ ମାମଲା ସାମ୍ନାକୁ ଆସିଛି । ତଦନ୍ତକାରୀ ସାମ୍ବାଦିକ ମୋଚା ବେଜିରଗାନ କହିଛନ୍ତି ଯେ ଭାନକୁଭର ସହରରେ ଏକ ସାପ୍ତାହିକ ରାଲି ସମୟରେ ଭିଡିଓ ପ୍ରସ୍ତୁତ କରୁଥିବା ସମୟରେ ସେହି ଲୋକମାନେ ତାଙ୍କୁ ଘେରି ଯାଇଥିଲେ । ଆଜି ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଖଲିସ୍ତାନ ସମର୍ଥକମାନେ ତାଙ୍କୁ ଭୟଭୀତ କରିଥିଲେ ଏବଂ ଧମକ ଦେଇଥିଲେ । କିଛି ସମୟ ପାଇଁ ତାଙ୍କ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ ।
ଭାନକୁଭରରେ ଖଲିସ୍ତାନୀ ସମର୍ଥକମାନଙ୍କ ଦ୍ୱାରା ଧମକ ଦିଆଯିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି ବାଜିରଗାନ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ଏକ ଖଲିସ୍ତାନୀ ରାଲିର ରିପୋର୍ଟିଂ କରୁଥିଲେ। ଏ ସଂପର୍କରେ ସେ କହିଛନ୍ତି ଯେ ଖଲିସ୍ତାନୀଙ୍କ ଧମକ ଯୋଗୁଁ ସେ ଏବେ ବି ଭୟରେ କମ୍ପୁଛନ୍ତି । ପ୍ରଥମ ଜଣେ ବ୍ୟକ୍ତି ତାଙ୍କ ଅତିନିକଟକୁ ଆସି ଧମକ ଦେଇଥିଲା । ଏହା ପରେ ଆଉ ୨-୩ ଜଣ ଆସି ତାଙ୍କୁ ଘେରିଯାଇଥିଲେ ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଖଲିସ୍ତାନୀମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି । ଜି-୭ ସମ୍ମିଳନୀବେଳେ ମୋଦୀଙ୍କ ରାଜନୀତିକୁ ଲୋପ କରିଦେବେ ବୋଲି ଖଲିସ୍ତାନୀମାନେ ଧମକ ଦେଇଛନ୍ତି ବୋଲି ମୋଚା କହିଛନ୍ତି ।












Click it and Unblock the Notifications