ଗତ ୧୧ ବର୍ଷ ମଧ୍ୟରେ ଦେଶର କ୍ରୀଡ଼ା କ୍ଷେତ୍ରରେ ଦକ୍ଷତାର ନିରନ୍ତର ଉନ୍ନତି ଘଟିଛି;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ୨୦୧୪ ମସିହା ପରଠାରୁ ବିଭିନ୍ନ କ୍ରୀଡ଼ାକ୍ଷେତ୍ରରେ ଭାରତର ଦକ୍ଷତାର ନିରନ୍ତର ଭାବରେ ଉନ୍ନତି ପରିଲକ୍ଷିତ ହୋଇଛି । ବାରାଣାସୀଠାରେ ଆଜି ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାପାଇଁ ଭାରତ ଦୃଢ଼ ଦାବି କରୁଛି । ସେ କହିଛନ୍ତି, ସରକାର' କ୍ରୀଡ଼ାକ୍ଷେତ୍ରରେ ଜାତୀୟ କ୍ରୀଡ଼ା ଗଭର୍ଣ୍ଣାନ୍ସ ଆକ୍ଟ ଏବଂ ଖେଲୋ ଭାରତୀ ନୀତି-୨୦୨୫ ଭଳି ବିଭିନ୍ନ ପରିବର୍ତ୍ତନ ଏବଂ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର କ୍ରୀଡ଼ା ମଡେଲ୍ ବର୍ତ୍ତମାନ କ୍ରୀଡ଼ାବିତ୍କୈନ୍ଦ୍ରିକ ହୋଇଛି । ଫଳରେ ୨୦୧୪ ମସିହା ପରଠାରୁ କ୍ରୀଡ଼ାବିତ୍ମାନଙ୍କର ସଫଳତା ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି । କ୍ରୀଡ଼ାକ୍ଷେତ୍ରରେ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସରକାର ବିଭିନ୍ନ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ପ୍ରତିଭାମାନଙ୍କୁ ଚିହ୍ନଟ, ବୈଜ୍ଞାନିକଗତ ପ୍ରଶିକ୍ଷଣ, କ୍ରୀଡ଼ାବିତ୍ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ସ୍ୱଚ୍ଛ ମନୋନୟନ ପ୍ରକ୍ରିୟା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ସେ କହିଛନ୍ତି, କ୍ରୀଡ଼ାକ୍ଷେତ୍ରରେ Gen-Z ତ୍ରିରଙ୍ଗା ଉତ୍ତୋଳନ କରୁଥିବାର ଦୃଶ୍ୟ ଦେଖିବା ପରେ ଦେଶ ନିଜକୁ ଗର୍ବିତ ଅନୁଭବ କରେ ।
ପ୍ରତ୍ୟେକଙ୍କ ନିଜର ଭୂମିକା, ଦାୟିତ୍ୱ ରହିଛି । ପ୍ରତ୍ୟେକ ନିଜର ଦାୟିତ୍ୱକୁ ଗୁରୁତ୍ୱର ସହ ସମ୍ପାଦନ କଲେ ସଫଳତା ଅର୍ଜନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ପ୍ରକ୍ରିୟାରେ ଦେଶ ସମଭାବେ ଏଦିଗରେ ଅଗ୍ରସର ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି । ଭଲିବଲ୍ ଏବଂ ବିକାଶ ମଧ୍ୟରେ ସମତୁଲତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭଲିବଲ୍ ହେଉଛି ଏକ ଖେଳ, ଯାହାକି ସମସ୍ତଙ୍କୁ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବାପାଇଁ ପ୍ରେରଣା ଯୋଗାଇଥାଏ ।













Click it and Unblock the Notifications