ବିସିସିଆଇ ଅଫିସରୁ ଚୋରି, ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍
ମୁମ୍ବାଇରେ ଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୱାଙ୍ଖେଡେ ଷ୍ଟାଡିୟମ କାର୍ଯ୍ୟାଳୟରେ ଚୋରି ହୋଇଛି। ତେବେ କୌଣସି ଟଙ୍କାପଇସା କିମ୍ବା ମୂଲ୍ୟବାନ ସାମଗ୍ରୀ ଚୋରି ହୋଇନାହିଁ, ବରଂ ଯାହା ଚୋରି ହୋଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚୋରି ହୋଇଥିବା ସାମଗ୍ରୀ ହେଉଛି ଆଇପିଏଲ ଜର୍ସି ।

ଏହି ଚୋରି ପଛରେ କାର୍ଯ୍ୟାଳୟର ଜଣେ ୪୦ ବର୍ଷୀୟ କର୍ମଚାରୀର ହାତ ଥିବା ଜଣାଯାଇଛି। ତା ନାଁ ଫାରୁକ ଅସଲମ ଖାଁ ବୋଲି ଜଣାପଡ଼ିଛି। ସେ ବିସିସିଆଇ ଅଫିସରୁ ୨୬୧ଟି ଜର୍ସି ଚୋରି କରିଛି। ଗୋଟିଏ ଜର୍ସିର ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା। ଏହିପରି ହିସାବରେ, ଏହି ବ୍ୟକ୍ତି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିଛି।
ବିସିସିଆଇ ଅଫିସରେ ହୋଇଥିବା ଏହି ଚୋରି ସମ୍ପର୍କରେ ପୁଲିସ କହିଛି ଯେ ଫାରୁକ ଅନଲାଇନରେ ଜୁଆ ଖେଳୁଥିଲା ଏବଂ ସେ ତାର ଜୁଆ ନିଶା ପାଇଁ ଏହି ଆଇପିଏଲ୍ ଜର୍ସି ଚୋରି କରିଥିଲା। ପୁଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଖାଁ ସୋସିଆଲ ମିଡିଆ ମାଧ୍ୟମରେ ହରିୟାଣାର ଜଣେ ଅନଲାଇନ୍ ଜର୍ସି ଡିଲରଙ୍କ ସହ ଯୋଗାଯୋଗରେ ଥିଲା, ଯାହାପାଖକୁ ସେ ଏସବୁ ଚୋରି ସାମଗ୍ରୀ କୁରିଅର ମାଧ୍ୟମରେ ପଠାଉଥିଲା।
ବିସିସିଆଇ ପକ୍ଷରୁ ଷ୍ଟକ ଅଡିଟ ବେଳେ ଏହି ଚୋରି କଥା ଧରାପଡ଼ିଥିଲା । ଏହା ପରେ ସିସିଟିଭି ଫୁଟେଜରୁ ଫାରୁକ ଏକ କାର୍ଟନ ବାହାରକୁ ନେଇଯାଉଥିବା ଦେଖାଯାଇଥିଲା । ଏହା ପରେ ବିସିସିଆଇ ପକ୍ଷରୁ ମେରିନ ଡ୍ରାଇଭ୍ ଥାନାରେ ଅଭିଯୋଗ କରାଯାଇଥିଲା । ଏହାପରେ ପୁଲିସ ଏପର୍ଯ୍ୟନ୍ତ ୫୦ଟି ଜର୍ସି ଜବତ କରିସାରିଛି ।












Click it and Unblock the Notifications