ଦେଶରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବିଶ୍ୱ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନ
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ଉତ୍ପାଦନ ଏବଂ ଭିତ୍ତିଭୂମି ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ଉଭା ହେଉଛି । ରାଜସ୍ଥାନର ଜୟପୁରରେ ଆୟୋଜିତ ଆଞ୍ଚଳିକ କୃତ୍ରିମ ବୁଦ୍ଧିମତା ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏକ ଏଭଳି ଶକ୍ତିଶାଳୀ ଉପକରଣ ଯାହା ମାନବ ଜୀବନ ଏବଂ କାର୍ଯ୍ୟଧାରା ସମ୍ପର୍କରେ ପୂର୍ବାନୁମାନ କରିପାରୁଛି ।
ଭାରତରେ ଆସନ୍ତା ମାସରେ ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସେ ଘୋଷଣା କରିଛନ୍ତି । ସେ କହିଛନ୍ତି, ବିଶ୍ୱ ସ୍ତରୀୟ ଏହି ସମ୍ମିଳନୀ ପୂର୍ବରୁ ବ୍ରିଟେନ୍, ଦକ୍ଷିଣ କୋରିଆ ଏବଂ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ପ୍ରସ୍ତୁତି ପରିପ୍ରେକ୍ଷୀରେ ଦେଶର ସମସ୍ତ ରାଜ୍ୟରେ ଆଞ୍ଚଳିକ ଏ.ଆଇ. ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି ସେ କହିଛନ୍ତି । ଇତିମଧ୍ୟରେ ମେଘାଳୟ ଏବଂ ଓଡ଼ିଶାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ବର୍ଷକ ମଧ୍ୟରେ ୧୦ ଲକ୍ଷ ଯୁବ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ କୃତ୍ରିମ ବୁଦ୍ଧିମତା ଆଧାରିତ ଦକ୍ଷତା ପ୍ରଦାନ କରାଯିବ । ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ପ୍ରାୟ ୭୦ ବିଲିୟନ୍ ଡଲାର୍ ନିବେଶ କରାଯାଉଛି । ସେ କହିଛନ୍ତି, ଇଣ୍ଡିଆ ଏ.ଆଇ. ମିଶନ୍ ଅଧୀନରେ ନବସୃଜନ, ନୂତନ ପରୀକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ ଜିତିନ୍ ପ୍ରସାଦ କହିଛନ୍ତି, କୃତ୍ରିମ ବୁଦ୍ଧିମତା ମାନବ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିଛି । ସବୁ କ୍ଷେତ୍ରରେ ଏ.ଆଇ.ର ବ୍ୟାପକ ବ୍ୟବହାର ହେଉଛି । ଇଣ୍ଡିଆ ଏ.ଆଇ. ମିଶନ୍ ପାଇଁ ସରକାର ୧୦ ହଜାର କୋଟିରୁ ଅଧିକ ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ।












Click it and Unblock the Notifications