'ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ଓ ସଂସ୍କୃତି ଲାଗି ସମଗ୍ର ବିଶ୍ବ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି'
ଦେଶ ପ୍ରଥମ ଚିନ୍ତାଧାର ପ୍ରତି ଯୁବବର୍ଗଙ୍କର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀର କାରିୟାତ୍ସା ପରେଡ୍ ଗ୍ରାଉଣ୍ଡରେ ଏନ୍.ସି.ସି. ପି.ଏମ୍. ବାର୍ଷିକ ଗ୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ଚଳିତ ବର୍ଷ ଏହି ଗ୍ୟାଲିର ବିଷୟବସ୍ତୁ ରହିଛି 'ରାଷ୍ଟ୍ର ପ୍ରଥମ - କର୍ତବ୍ୟ ନିଷ୍ଠା ଯୁବା' ଶ୍ରୀ ମୋଦୀ କହିଛନ୍ତି, ଏନ୍.ସି.ସି. ମାଧ୍ୟମରେ ଭାରତର ଯୁବବର୍ଗ ଶୃଙ୍ଖଳିତ ହେବା ସହ ଦେଶ ପ୍ରତି ସମର୍ପଣ ଭାବ ବୃଦ୍ଧି ପାଇଛି । ସେମାନଙ୍କର ଦକ୍ଷତା ଓ ସଂସ୍କୃତି ଲାଗି ସମଗ୍ର ବିଶ୍ୱ ଭାରତର ଯୁବବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ଦେଶ ବ୍ୟାପି ଏନ୍.ସି.ସି. କ୍ୟାଡେଟସ୍ ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଏନ୍.ସି.ସି.ର ଶକ୍ତି ୧୪ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ପାଇଛି । ଏଥିସହିତ ସୀମାବର୍ତ୍ତୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଏନ୍.ସି.ସି.ରେ ଅଂଶଗ୍ରହଣ କରିବା ଲାଗି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ବିଶେଷ କରି ଚଳିତ ବର୍ଷ ମହିଳା କ୍ୟାଡେଟ୍ମାନଙ୍କର ଏନ୍.ସି.ସି.ରେ ଉଲ୍ଲେଖନୀୟ ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି ।

ପୂର୍ବରୁ ଭାରତ ଓମାନ୍, ନ୍ୟୁଜିଲାଣ୍ଡ, ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟସ୍, ଅଷ୍ଟ୍ରେଲିଆ ଓ ମରିସସ୍ ଭଳି ଦେଶଗୁଡ଼ିକ ସହିତ ଏଫ୍.ଟି.ଏ. ସ୍ୱାକ୍ଷର କରିସାରିଛି । ଏହା ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ଯୁବବର୍ଗ ମଧ୍ୟ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିକଶିତ ଭାରତ କେବଳ ଅର୍ଥନୈତିକ ସମୃଦ୍ଧିରେ ସୀମିତ ନୁହେଁ
ବରଂ ଦେଶର ସାମଗ୍ରୀକ ବିକାଶ ସହ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ବ ନେବାର ପଥ ଉନ୍ମୁକ୍ତ ହେବ । ଦେଶ ପ୍ରତି ଥିବା କର୍ଭବ୍ୟ ଉପରେ ପ୍ରାଥମିକତା ହେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଆହ୍ବାନ ଦେଇଛନ୍ତି । ଆଜିର ଏହି ପ୍ୟାରେଡ୍ରେ ଦେଶ ବ୍ୟାପି ୮୯୮ ମହିଳାଙ୍କ ସମେତ ମୋଟ୍ ୨ହଜାର ୪୦୬ ଏନ୍.ସି.ସି. କ୍ୟାଡେଟ୍ ଯୋଗ ଦେଇଥିଲେ । ୨୧ଟି ଦେଶରୁ ମଧ୍ୟ ୨୦୭ ଯୁବକ, ଯୁବତୀ ଓ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।












Click it and Unblock the Notifications