ରାତି ପାହିଲେ ଉପ ରାଷ୍ଟ୍ରପତି ନିର୍ବାଚନ, ଶାସକ ଓ ବିରୋଧୀଂକ ମଧ୍ୟରେ ହେବ କଡ଼ା ଟକ୍କର
ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ଶାସକ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଦେଇଛି। ଭାଜପା ନେତୃତ୍ୱାଧୀନ ଏନ୍ଡିଏର ଏମ୍ପିମାନେ ଶକ୍ତି ପ୍ରଦର୍ଶନ ପାଇଁ ରବିବାରଠାରୁ ୨ ଦିନିଆ କର୍ମଶାଳାରେ ଏକାଠି ହୋଇଛନ୍ତି। ପାର୍ଲାମେଣ୍ଟ କମ୍ପ୍ଲେକ୍ସର ଜିଏମ୍ସି ବାଲଯୋଗୀ ଅଡିଟୋରିୟମ୍ରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛ ଧାଡ଼ିରେ ବସିଥିବା ଦେଖାଯାଇଛି। ସେହିପରି ବିରୋଧୀ ଏମ୍ପିମାନେ ସୋମବାର ଏକାଠି ହୋଇ ମକ୍ ପୋଲ୍ରେ ଭାଗନେବେ।

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। କଂଗ୍ରେସ ଅଧ୍ୟକ୍ଷ ସୋମବାର ସନ୍ଧ୍ୟାରେ ବିରୋଧୀ ଏମ୍ପିମାନଙ୍କ ପାଇଁ ଏକ ନୈଶଭୋଜିର ଆୟୋଜନ କରିଥିବା ଇଣ୍ଡିଆ ବ୍ଲକ୍ ସୂତ୍ରରୁ କୁହାଯାଇଛି। ସୋମବାର ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲ୍ରେ ମକ୍ ପୋଲ୍ ଅନୁଷ୍ଠିତ ହେବ। ୯ ତାରିଖରେ ଶାସକ ଏନ୍ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଏବଂ ବିରୋଧୀ ଦଳଗୁ୍ଡ଼ିକର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ଶାସକ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ସଂଖ୍ୟା ରହିଥିବାବେଳେ ଏହାକୁ ଏକ ଆଦର୍ଶଗତ ଲଢ଼େଇ ବୋଲି ବିରୋଧୀ କହିଛନ୍ତି।












Click it and Unblock the Notifications