ଆଜି ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳ ଗସ୍ତ ଯାଇ ତିରୁବନନ୍ତପୁରମ୍ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ମୋଦୀ ଏକ ସମାବେଶକୁ ମଧ୍ୟ ସମ୍ୱୋଧନ କରିବେ। ଆଜି ଆରମ୍ଭ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳ ସଂଯୋଗୀକରଣ, ସହରାଞ୍ଚଳ ଜୀବିକା, ବିଜ୍ଞାନ ଏବଂ ନବସୃଜନ, ନାଗରିକ-କୈନ୍ଦ୍ରିକ ସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକର ପ୍ରକଳ୍ପ ରହିଛି ।
ଏହିସବୁ ପ୍ରକଳ୍ପ ଗୁଡ଼ିକରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ପ୍ରଗତି ଏବଂ ନାଗରିକମାନଙ୍କ ପାଇଁ ଗୁଣବତ୍ତା ସମ୍ପନ୍ନ ଜୀବନଶୈଳୀ ନିମନ୍ତେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଏବଂ ଗୋଟିଏ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ସେହିସବୁ ଟ୍ରେନ୍ ଗୁଡ଼ିକ ମଧ୍ୟରେ ନାଗରକୋୟଲ-ମାଙ୍ଗାଲୁରୁ, ତିରୁବନନ୍ତପୁରମ-ତାମ୍ୱରମ ଏବଂ ତିରୁବନନ୍ତପୁରମ-ଚାରଲାପାଲି ଅମୃତ ଭାରତ ଏକ୍ସପ୍ରେସ ଓ ତ୍ରିସୁର ଏବଂ ଗୁରୁଭାୟୁର ମଧ୍ୟରେ ଏକ ନୂତନ ଯାତ୍ରୀବାହୀ ଟ୍ରେନ ରହିଛି ।
ଏହି ଟ୍ରେନ୍ ସେବାଗୁଡ଼ିକର ପ୍ରଚଳନ ଫଳରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୂରତା ହ୍ରାସ ପାଇବା ସହ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି ପାଇବ । ଏହା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉନ୍ନତ ସଂଯୋଗୀକରଣ ସହ ପର୍ଯ୍ୟଟନ, ବାଣିଜ୍ୟ, ଶିକ୍ଷା, ନିଯୁକ୍ତି ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହନ ମିଳିପାରିବ । ଆଜି ପ୍ରଧାନମନ୍ତ୍ରୀ ସ୍ୱନିଧି କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବେ । ଯେଉଁଥିରେ ରାସ୍ତା କଡ଼ର ବିକ୍ରେତାମାନେ ଆର୍ଥିକ ଅନ୍ତର୍ଭୁକ୍ତି ମୂଳକ ଯୋଜନାରେ ସାମିଲ ହୋଇପାରିବେ । ଏହି କାର୍ଡ଼ ୟୁ.ପି.ଆଇ. ସହ ସଂଯୁକ୍ତ ଯାହା ସୁଧମୁକ୍ତ କ୍ରେଡିଟ୍ ସୁବିଧା ପ୍ରଦାନ କରିବ ।
ଯାହା ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା ସହ ୧ ଲକ୍ଷ ହିତାଧିକାରୀମାନଙ୍କୁ ପି.ଏମ୍. ସ୍ୱନିଧି ଋଣ ଯୋଗାଇଦେବ । ଶ୍ରୀ ମୋଦୀ ତିରୁବନନ୍ତପୁରମରେ ଆଜି ସି.ଏସ୍.ଆଇ.ଆର୍- ଏନ୍.ଆଇଆଇ.ଏସ୍.ଟି. ନବସୃଜନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗୀତା ହବ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ହବ୍ ଜରିଆରେ ଜୀବ ବିଜ୍ଞାନ ଏବଂ ଜୈବ-ଅର୍ଥନୀତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ଆୟୁର୍ବେଦ ଭଳି ପାରମ୍ପରିକ ଜ୍ଞାନ ପ୍ରଣାଳୀକୁ ଆଧୁନିକ ଜୈବ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ପ୍ୟାକେଜିଂ ଏବଂ ସବୁଜ ହାଇଡ୍ରୋଜେନ୍ ସହିତ ସମନ୍ୱିତ କରିବ ।

କେରଳ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ତିରୁବନନ୍ତପୁରମର ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ସା ଇନ୍ସେସ୍ ଆଣ୍ଡ୍ ଟେକ୍ନୋଲୋଜିରେ ଏକ ଅତ୍ୟାଧୁନିକ ରେଡିଓସର୍ଜରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କେନ୍ଦ୍ର ଜଟିଳ ମସ୍ତିଷ୍କ ଜନିତ ସମସ୍ୟାର ସହଜ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବ । ତିରୁବନନ୍ତପୁରମରେ ଶ୍ରୀ ମୋଦୀ ନୂତନ ପୂଜାପୁରା ମୁଖ୍ୟ ଡାକଘରର ମଧ୍ୟ ଉଦଘାଟନ କରିବେ। ଏହି ଡାକଘରରେ ଆଧୁନିକ, ପ୍ରଯୁକ୍ତିବିଦ୍ୟା ସକ୍ଷମ ଡାକ ସୁବିଧା ସମେତ ବ୍ୟାଙ୍କିଙ୍ଗ, ବୀମା ଏବଂ ଡିଜିଟାଲ୍ ସେବା ପ୍ରଦାନ କରାଯିବ ।












Click it and Unblock the Notifications