୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଯୋଜନା କରୁଛନ୍ତି ଏହି ସରକାର
ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ସରକାର ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଯୋଜନା କରୁଛନ୍ତି । ରାଜ୍ୟର ଆଇଟି ମନ୍ତ୍ରୀ ନାରା ଲୋକେସ ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମରେ ବ୍ଲୁମବର୍ଗ ସହ ଆଲୋଚନାରେ ଏହା କହିଛନ୍ତି । ନାରା ଲୋକେସ ସ୍ପଷ୍ଟ କରିଛନ୍ତି ଯେ କମ ବୟସ ପିଲାଙ୍କୁ ସୋସିଆଲ୍ ମିଡିଆରେ ଉପଲବ୍ଧ ଅନେକ ପ୍ରକାର ସାମଗ୍ରୀକୁ ସଠିକ୍ ଭାବେ ବୁଝିପାରନ୍ତି ନାହିଁ, ଯାହା ସେମାନଙ୍କ ମାନସିକ ଓ ଭାବନାତ୍ମକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ସେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବୟସରୁ କମ ପିଲା ଏପରି ପ୍ଲାଟଫର୍ମରେ ନରହିବା ଦରକାର । ସେମାନେ କେଉଁ ପ୍ରକାରର କଣ୍ଟେଣ୍ଟ ସଂସ୍ପର୍ଶରେ ଆସୁଛନ୍ତି, ତାହା ଜାଣିପାରନ୍ତି ନାହିଁ । ଏପରି ସ୍ଥିତିରେ ଏକ ମଜଭୁତ ଆଇନଗତ ଢାଞ୍ଚାର ଆବଶ୍ୟକତା ଅଟେ । ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ସରକାର ଗତ ମାସରେ ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ଟିକଟକ୍, ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ସ୍ନାପଚାଟ୍ ପରି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଏହି ଆଇନ ଅନୁସାରେ ପିଲାମାନେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ୱା ପୁରୁଣା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ଆନ୍ଧ୍ର ପ୍ରଦେଶ ସରକାର ଏହି ମେଡଲରେ ଅଧ୍ୟୟନ କରୁଛନ୍ତି । ଯଦି ନିଷ୍ପତ୍ତି ଲାଗୁ ହୋଇଯାଏ, ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଆଇନଗତ ପ୍ରତିବନ୍ଧକ ଲାଗୁ କରିବାରେ ଆନ୍ଧ୍ର ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବ ।
ଟିଡିପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ଦୀପକ ରେଡ୍ଡୀ ଏହି ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି, ପୂର୍ବ ସରକାର ସମୟରେ ସୋସିଆଲ୍ ମିଡିଆର ଦୁରୁପଯୋଗ ହେଉଥିଲା ଓ ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ଆପତ୍ତିଜନକ ଓ ଅପମାନଜନକ ଆକ୍ରମଣ କରାଯାଉଥିଲା । ସେ କହିଛନ୍ତି, କମ ବୟସର ପିଲାମାନେ ଭାବନାତ୍ମକ ଭାବେ ପରିପକ୍ୱ ନଥାନ୍ତି ଏବଂ ନକାରାତ୍ମକ କଣ୍ଟେଣ୍ଟକୁ ବୁଝିପାରନ୍ତି ନାହିଁ ।
ଏଥିପାଇଁ ଆନ୍ଧ୍ର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ଚାଲିଥିବା ଆଇନର ଅଧ୍ୟୟନ କରୁଛନ୍ତି, ଖାସକରି ଅଷ୍ଟ୍ରେଲିଆର ଅଣ୍ଡର-୧୬ ସୋସିଆଲ୍ ମିଡିଆ ଆଇନର । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ପଦକ୍ଷେପକୁ ସରକାରୀ ନିରୀକ୍ଷଣ କିମ୍ୱା ସେନସରଶିପ ରୂପେ ନଦେଖାଯିବା ଦରକାର । ତାଙ୍କ କହିବା ଅନୁସାରେ, ଏହାର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ବିଷକ୍ତ କଣ୍ଟେଣ୍ଟ, ଅନଲାଇନ୍ ଘୃଣା ଓ ମାନସିକ କ୍ଷତିରୁ ବଞ୍ଚାଇବା ।












Click it and Unblock the Notifications