ପତ୍ନୀଙ୍କୁ ଶାସନ କ୍ଷମତା ଦେବା ଚର୍ଚ୍ଚା ଉପରେ ମୁହଁ ଖୋଲିଲେ ହେମନ୍ତ
ରାଞ୍ଚି:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପତ୍ନୀଙ୍କୁ ରାଜ୍ୟର ଶାସନଭାର ଦେବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତ । ହେମନ୍ତ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି ଏହି ଚର୍ଚ୍ଚା ବିଜେପି ଦ୍ୱାରା ବୁଣା ଯାଇଥିବା ମିଛ କାହାଣି । ମନି ଲଣ୍ଡରିଂ ମାମଲାରେ ଫସିଥିବା ହେମନ୍ତଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
ବାରମ୍ବାର ସମନ ପଠାଯିବା ପରେ ସେ ହାଜର ହେଉନଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସେ ଗିରଫ ହେଲେ ପତ୍ନୀ କଳ୍ପନା ସୋରେନଙ୍କୁ ଦାୟିତ୍ୱ ଦେଇ ଜେଲକୁ ଯିବେ ବୋଲି କିଛି ଦିନ ହେବ ଦେଶରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ହେମନ୍ତ ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ହେମନ୍ତ ସୋରେନ କହିଛନ୍ତି ଯେ ମୋ ପତ୍ନୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ହେଉଛି ବିଜେପିର କଳ୍ପନା ।

ବିଜେପି ଏକ ମିଥ୍ୟା କାହାଣୀ ସୃଷ୍ଟି କରୁଛି । ଆଉ ସେହି କାହାଣି ହେଉଛି ମୁଁ ମୋ ପତ୍ନୀଙ୍କୁ ଶାସନ କ୍ଷମତା ଦେବାକୁ ଯାଉଛି । ବାସ୍ତବରେ, ଯେତେବେଳେ ହେମନ୍ତ ସୋରେନଙ୍କୁ ଇଡି ସମନ ପଠାଇଥିଲା, ସେହି ସମୟରେ ଝାଡ଼ଖଣ୍ଡର ଗାଂଡୟେ ଆସନରୁ ଜେଏମଏମ ବିଧାୟକ ସରଫରାଜ ଅହମ୍ମଦ ଇସ୍ତଫା ଦେଇଥିଲେ ଆଉ ଚର୍ଚ୍ଚା ହେଉଥିଲା ଯେ, ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ଏଠାରୁ ନିର୍ବାଚନ ଲଢ଼ିବେ ।
ଇଡି ଏପର୍ଯ୍ୟନ୍ତ ସୋରେନଙ୍କୁ ୭ ଥର ସମନ ଜାରି କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହେମନ୍ତ ଇଡି ଆଗରେ ହାଜର ହୋଇ ନାହାଁନ୍ତି । ଇଡି ତାଙ୍କୁ ପୂର୍ବ ସମନଗୁଡିକରେ କହିଛି ଯେ ଯଦି ସେ ଚାହାଁନ୍ତି, ତେବେ ସେ ନିଜ ପସନ୍ଦର ତାରିଖ ଏବଂ ସମୟ କହିପାରିବେ ଯାହା ଦ୍ୱାରା ଅଧିକାରୀମାନେ ତାଙ୍କ ବିବୃତ୍ତି ରେକର୍ଡ କରିପାରିବେ । ଅନ୍ୟପକ୍ଷରେ ହେମନ୍ତ ସୋରେନ ଇଡିର ସମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେମନ୍ତ କହିଛନ୍ତି ଯେ ତାଙ୍କ ସରକାରକୁ ଅସ୍ଥିର କରିବା ପାଇଁ ଏଜେନ୍ସିଗୁଡିକୁ ବ୍ୟବହାର କରାଯାଉଛି ।












Click it and Unblock the Notifications