ଆସନ୍ତାକାଲି ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ପ୍ରଦାନ କରାଯିବ
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଦ୍ୱାରକାସ୍ଥିତ ଯଶୋଭୂମି ଇଣ୍ଡିଆ ଇଣ୍ଟରନେସନାଲ କନଭେନ୍ସନ ଏକ୍ସପୋ ସେଣ୍ଟର୍ ଠାରେ ଆସନ୍ତାକାଲି ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ପ୍ରଦାନ କରାଯିବ। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦୦ ଜଣ ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଉଲ୍ଲେଖନୀୟ ସେବା ଏବଂ ସଂଗଠନ ପ୍ରତି ଅସାଧାରଣ ଯୋଗଦାନ ନିମନ୍ତେ ପୁରସ୍କୃତ କରିବେ। ଏହି କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ର ମନ୍ତ୍ରୀ ଭି. ସୋମନ୍ନା, ରବନୀତ ସିଂ, ରେଳ ବୋର୍ଡ ସିଇଓ ସତୀଶ କୁମାରଙ୍କ ସମେତ ରେଳବାଇର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ।

ନବସୃଜନ, ପରିଚାଳନା ଦକ୍ଷତା, ସୁରକ୍ଷା, ନିରାପତ୍ତା, ରାଜସ୍ୱ ବୃଦ୍ଧି, ଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅନ୍ୟାନ୍ୟ ଉଲ୍ଲେଖନୀୟ ସେବା ନିମନ୍ତେ ମୋଟ୍ ୧୦୦ ଜଣଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ନବସୃଜନ କ୍ଷେତ୍ରରେ ୧୭, ସାହସ ଓ ନିଃସ୍ୱାର୍ଥ ସେବା ପାଇଁ ୨୨, ରାଜସ୍ୱ ବୃଦ୍ଧି ଓ ଦୁର୍ନୀତି ନିବାରଣ କ୍ଷେତ୍ରରେ ୧୪, ପରିଚାଳନା ଦକ୍ଷତା ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ୧୯, ପ୍ରକଳ୍ପ ଶେଷ ପାଇଁ ୧୬, ଅନ୍ୟାନ୍ୟ କ୍ଷେତ୍ରରେ ୧୦ ଏବଂ କ୍ରୀଡ଼ା କ୍ଷେତ୍ରରେ ୨ ଜଣ ରେଳ କର୍ମଚାରୀ ପୁରସ୍କାର ପାଇବେ।
ବ୍ୟକ୍ତିଗତ ପୁରସ୍କାର ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨୬ଟି ରେଳ ଜୋନକୁ ସିଲ୍ ପ୍ରଦାନ କରାଯିବ। ମହାକୁମ୍ଭ, ଅପରେସନ ସିନ୍ଦୂର ଆଦି ସମୟରେ ଏବଂ ବାଲଷ୍ଟ କ୍ଲିନିଂ ମେସିନ୍ ପ୍ରଚଳନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଏହି ପୁରସ୍କାର କର୍ତ୍ତବ୍ୟପ୍ରତି ସମର୍ପଣ, ବୃତ୍ତିଗତ ମନୋଭାବ ଓ ଉଲ୍ଲେଖନୀୟ ସେବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳନ କରିଥାଏ।












Click it and Unblock the Notifications