ଏକାଠି ହେବେ କି ରାଜ୍ -ଉଦ୍ଧବ ?
ମହାରାଷ୍ଟ୍ରର ଭାଜପା-ଶିବସେନା ମହାୟୁତି ସରକାର କେନ୍ଦ୍ରର ଜାତୀୟ ଶିକ୍ଷାନୀତି ଅଧୀନ ୩ ଭାଷା ସୂତ୍ରକୁ ଅନୁସରଣ କରି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷାର ମାନ୍ୟତା ଦେଇଛନ୍ତି। ପୂର୍ବରୁ ବିଦ୍ୟାଳୟ ପାଠ୍ୟକ୍ରମରେ ମରାଠୀ ଓ ଇଂଲିଶ୍ ପ୍ରଚଳିତ ଥିବାବେଳେ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ଶିକ୍ଷାଦାନକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ 'ମରାଠୀ ଅସ୍ମିତା'ର ପରିପନ୍ଥୀ ଦର୍ଶାଇ ତୀବ୍ର ବିରୋଧ କରିଛନ୍ତି।
କଂଗ୍ରେସ ଏବଂ ଶରତ ପାଓ୍ବାରଙ୍କ ଏନ୍ସିପି-ଏସ୍ପି ମହାରାଷ୍ଟ୍ର ଉପରେ ହିନ୍ଦୀ ଭାଷା ଲଦାଯିବାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ମହାରାଷ୍ଟ୍ର ରାଜନୀତିର ମୋଡ଼ ବଦଳାଇବାକୁ ଯାଉଛି। ମରାଠୀ ଓ ହିନ୍ଦୁ ଭୋଟକୁ ଆଧାରକରି ରାଜ୍ୟରେ ଶକ୍ତିଶାଳୀ ଥିବା ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକ୍ରେ ଓ ତାଙ୍କ କାକାପୁଅ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ ଏକାଠି ହୋଇପାରନ୍ତି ବୋଲି ଉଭୟେ ସଙ୍କେତ ଦେଇଛନ୍ତି।

ରାଜ୍ କହିଛନ୍ତି, ଆମ ଭିତରେ ଥିବା ମତପାର୍ଥକ୍ୟ ବଡ଼ ନୁହେଁ, ମହାରାଷ୍ଟ୍ରର ଆମତ୍ସମ୍ମାନ ରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା। ରାଜ୍ଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ସହ ଥିବା ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଥିବା ଉଦ୍ଧବ କହିଛନ୍ତି। ଗତ କିଛିବର୍ଷର ରାଜ୍ୟ ରାଜନୀତିରେ ଠାକ୍ରେ ଭ୍ରାତାଙ୍କ ସ୍ଥିତି ସେମାନଙ୍କୁ ଏବେ ଏକାଠି ହେବାକୁ ଦିଗ ଦେଖାଉଛି। ହିନ୍ଦୀକୁ ବିରୋଧର ମାଧ୍ୟମ କରି ସେମାନେ ଶାସକ ମହାୟୁତିକୁ ଶକ୍ତ ଜବାବ ଦେଇପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।












Click it and Unblock the Notifications