ମାଲ୍ୟାଙ୍କ ସହ ୫ ପଳାତକଙ୍କ ପ୍ରତ୍ୟର୍ପଣ ଚାହୁଁଛି ଭାରତ
ବହୁଚର୍ଚ୍ଚିତ ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ଅନ୍ୟତମ ଖଳନାୟକ ତାହାବୁର ହୁସେନ ରାଣାକୁ ଆମେରିକାରେ ବଡ଼ ଝଟକା ଲାଗିଛି। ଆତଙ୍କୀ ହମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ରାଣା ଆମେରିକାରେ ନିଜର ଶେଷ ଆଇନଗତ ବିକଳ୍ପରେ ପରାସ୍ତ ହୋଇଛି। ଭାରତ ତା'କୁ ଆମେରିକାରୁ ଆଣିବାକୁ ଚାହୁଁଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି ଆଇନ ଖେଳ ଖେଳି ଚାଲିଥିଲା।
କିନ୍ତୁ ଶନିବାର ରାଣାର ସବୁ ଖେଳ ଖତମ ହୋଇଯାଇଛି। ଆମେରିକାର ସୁପ୍ରିମକୋର୍ଟ ଆଜି ଆତଙ୍କବାଦ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଣାର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ ଭାରତକୁ ତା'ର ପ୍ରତ୍ୟର୍ପଣ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ସେହିପରି ଭାରତର ତା' ବିରୋଧରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ବିଚାର ମଧ୍ୟ କରାଯିବ।
ଏହାଦ୍ୱାରା ଆତଙ୍କବାଦୀ ମାଷ୍ଟରମାଇଣ୍ଡକୁ ଭାରତରେ କାଠଗଡ଼ାକୁ ଆଣି ଦଣ୍ଡ ଦେବାର ବାଟ ସଫା ହୋଇଛି। ରାଣା ବ୍ୟତୀତ ଭାରତ ଅନ୍ୟ ଅନେକ ଅପରାଧୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି, ଯେଉଁମାନେ ଆଇନରୁ ବର୍ତ୍ତିବା ପାଇଁ ପଳାତକ ହୋଇଯାଇଥିଲେ। ଗତ ମାସରେ ସରକାର କହିଥିଲେ ଯେ ସମସ୍ତ ପଳାତକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆମେରିକାରେ ଲୁଚି ରହିଛନ୍ତି, ଯାହା ଅପରାଧୀ ଓ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। ବିଦେଶକୁ ପଳାଇଥିବା ଯେଉଁ ପାଞ୍ଚ ପ୍ରମୁଖ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଚେଷ୍ଟା କରୁଛି,
୧- ତାହାବୁର ହୁସେନ ରାଣା: ପାକିସ୍ତାନର ମୂଳ ନାଗରିକ ରାଣା ଜଣେ କାନାଡିଆନ ବ୍ୟବସାୟୀ। ମୁମ୍ବାଇ ଆତଙ୍କୀ ହମଲାରେ ସେ ସାମିଲ ଥିଲା। ୨୦୦୮ରେ ହୋଇଥିବା ମୁମ୍ବାଇ ଟେରର ଆଟାକରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପାକିସ୍ତାନ ଆର୍ମିରେ ରାଣା ଏକଦା ଡାକ୍ତର ଭାବେ କାର୍ଯ୍ୟ କରୁଥିଲା। ୨୦୦୮ ମୁମ୍ବାଇ ଆଟାକ ସମ୍ପର୍କରେ ସେ ଭଲ ଭାବେ ପୂର୍ବରୁ ଅବଗତ ରହିଥିଲା। ଡେନମାର୍କରେ ଆତଙ୍କୀ ହମଲା ଷଡ଼ଯନ୍ତ୍ର ଘଟଣାରେ ତା'କୁ ୨୦୦୯ରେ ଗିରଫ କରାଯାଇଥିଲା। ଏହି ମାମଲା ବ୍ୟତୀତ ସେ ଲସ୍କର-ଇ-ତାଏବାକୁ ସହଯୋଗ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛି। ଏବେ ଆମେରିକା ସୁପ୍ରିମକୋର୍ଟ ଭାରତକୁ ତା'ର ପ୍ରତ୍ୟର୍ପଣ ପାଇଁ ପଥ ପରିଷ୍କାର କରିଛନ୍ତି।
୨- ଅର୍ଶ ଡାଲ୍ଲା: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିଲ ଓରଫ ଅର୍ଶ ଡାଲ୍ଲା କାନାଡା ଭିତ୍ତିକ ନିଷିଦ୍ଧ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସର ନେତା। ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ୫୦ଟି ମାମଲାରେ ସେ ସାମିଲ ରହିଛି। ସେ ଭାରତର ଅନ୍ୟତମ ମୋଷ୍ଟୱାଣ୍ଟେଡ। ୨୦୦୪ ଜାନୁଆରୀ ମାସରେ ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଯୋଗାଯୋଗରେ ରହିଛି। ଅର୍ଶଦୀପ ଗତବର୍ଷ ଅକ୍ଟୋବରରେ ଗିରଫ ହୋଇଥିଲା। ସେବେଠାରୁ ଭାରତ ସରକାର ତା'ର ପ୍ରର୍ତ୍ୟପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏସବୁ ଭିତରେ କାନାଡାର ଗୋଟିଏ କୋର୍ଟ ତା'କୁ ଡିସେମ୍ବରରେ ଜାମିନ ଦେଇଛନ୍ତି।

3 ଅନମୋଲ ବିଷ୍ଣୋଇ: ଗୁଜରାଟର ଏକ ଜେଲରୁ ଦୁର୍ଦ୍ଦାନ୍ତ ବିଷ୍ଣୋଇ ଗ୍ୟାଙ୍ଗ ଚଳାଉଥିବା ଲରେନ୍ସ ବିଷ୍ଣୋଇର ସାନ ଭାଇ ହେଉଛି ଅନମୋଲ ବିଷ୍ଣୋଇ। ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଓ ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ସମେତ ଅନେକ ହାଇପ୍ରୋଫାଇଲ ମାମଲାରେ ଭାରତର ୱାଣ୍ଟେଡ ଅଛି। ବିନା ବୈଧ କାଗଜପତ୍ରରେ ଦେଶରେ ପ୍ରବେଶ କରିଥିବାରୁ ଅନମୋଲକୁ ଗତ ନଭେମ୍ବରରେ ଆମେରିକାରେ ଗିରଫ କରାଯାଇଥିଲା। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ଅନୁରୋଧ ସତ୍ତ୍ୱେ ତାକୁ ଏତେ ଶୀଘ୍ର ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ନାହିଁ।
4.ବିଜୟ ମାଲ୍ୟା: ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ଖିଲାପ ମାମଲାର ସମ୍ମୁଖୀନ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ୨୦୧୬ରେ ଭାରତ ଛାଡ଼ି ଏବେ ବ୍ରିଟେନରେ ଅଛନ୍ତି। ତାଙ୍କର ଅଚଳ ହୋଇପଡ଼ିଥିବା କିଙ୍ଗଫିସର ଏୟାରଲାଇନ୍ସର ପତନ ପରେ ଠକେଇ ଅଭିଯୋଗରେ ଭାରତ ତାଙ୍କୁ ଖୋଜୁଛି। ୨୦୧୯ରେ ତାକୁ ପଳାତକ ଘୋଷଣା କରାଯାଇଥିଲା। ଗତ ବର୍ଷ ସିବିଆଇ କୋର୍ଟ ତାଙ୍କ ବିରୋଧରେ ୧୮୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।
5. ନିରବ ମୋଦୀ: ୧୪,୦୦୦ କୋଟି ଟଙ୍କାର ପିଏନ୍ବି ଋଣ ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକସି ମୁଖ୍ୟ ଅଭିଯୁକ୍ତ। ଠକେଇରେ ସାହାଯ୍ୟ କରିଥିବା ବ୍ୟାଙ୍କ ଅଧିକାରୀଙ୍କ ସହ ମିଶିଥିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ତଦନ୍ତ ଚାଲିଛି। ନିରବ ମୋଦୀ ୨୦୧୮ରେ ଦେଶ ଛାଡିଥିଲେ ଏବଂ ସେହି ବର୍ଷ ଲଣ୍ଡନରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ବ୍ରିଟେନର ଏକ ଜେଲରେ ବନ୍ଦୀ ଥିବା ନୀରବ ମୋଦୀ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଏଯାବତ୍ କରିଥିବା ସମସ୍ତ ଆବେଦନ ହାରି ଯାଇଛନ୍ତି। ମେହୁଲ ଚୋକ୍ସି ଏବେ ଆଣ୍ଟିଗୁଆରେ ଅଛନ୍ତି।
ଏହି ୫ ଆତଙ୍କୀ ଓ ଅର୍ଥନୀତିକ ଅପରାଧୀଙ୍କ ବ୍ୟତୀତ ଆହୁରି ଅନେକ ପଳାତକ ଭାରତରୁ ଫେରାର ହୋଇ ବିଶ୍ୱର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ସେମାନଙ୍କ ମଧ୍ୟରେ ବନ୍ଧୁକ ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀ ମଧ୍ୟ ରହିଛି। ସେ ବ୍ରିଟେନରେ ରହିଥିବା ବେଳେ ତା' ବିରୋଧରେ ଟିକସ ପାଙ୍କିବା ଓ ମନି ଲଣ୍ଡରିଂ ଭଳି ମାମଲା ରୁଜୁ ହୋଇଛି।












Click it and Unblock the Notifications