ବଖାଣିଲା ଆତଙ୍କୀ, ୨ ବର୍ଷ ଧରି ଦିଲ୍ଲୀରେ ବ୍ଲାଷ୍ଟ କରିବା ପାଇଁ କରୁଥିଲା ପ୍ଲାନିଂ
ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି । ଆତଙ୍କବାଦୀ ଡକ୍ଟର ମୁଜାମ୍ମିଲ୍ ତଦନ୍ତ ସଂସ୍ଥା ନିକଟରେ ସ୍ୱୀକାର କରିଛନ୍ତି ଯେ, ସେ ୨୦୨୩ ମସିହାରେ ଦିଲ୍ଲୀ ଏବଂ ଅନ୍ୟ ଅନେକ ସହରରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ସେମାନେ ଗଲା ଦୁଇ ବର୍ଷ ଧରି ବିସ୍ଫୋରଣ ପାଇଁ ବିସ୍ଫୋରକ, ରିମୋଟ୍ ଏବଂ ଅନ୍ୟାନ୍ୟ ଉପକରଣର ବନ୍ଦୋବସ୍ତ କରୁଥିଲେ। ମୁଜାମ୍ମିଲ୍ ଉପରେ ଆମୋନିୟମ୍ ନାଇଟ୍ରେଟ୍ ଏବଂ ୟୁରିଆ କିଣିବାର ଦାୟିତ୍ଵ ଥିଲା । ମୁଜାମ୍ମିଲ୍ ଗୁରୁଗ୍ରାମ ଏବଂ ନୁହରୁ ୨୬ କ୍ୱିଣ୍ଟାଲ୍ NPK ସାର ମଧ୍ୟ କିଣିଥିଲେ।

ଡକ୍ଟର ଉମର ମହମ୍ମଦ ଏହି ସାରକୁ ବିସ୍ଫୋରକରେ ପରିଣତ କରିବାର ଦାୟିତ୍ଵ ନେଇଥିଲେ । ଉମର ମହମ୍ମଦ ବିସ୍ଫୋରଣ ପାଇଁ ରାସାୟନିକ ପଦାର୍ଥ, ରିମୋଟ୍ ଏବଂ ଉପକରଣର ବ୍ୟବସ୍ଥା ମଧ୍ୟ କରିଥିଲେ । ଆତଙ୍କବାଦୀ ଡକ୍ଟର ମୁଜାମ୍ମିଲ୍ କହିଥିଲେ ଯେ, ବିସ୍ଫୋରଣ ପାଇଁ ବୋମା ତିଆରି କରିବାର ଦାୟିତ୍ୱ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସମସ୍ତେ ନିଜ ନିଜ ସ୍ତରରେ ବୋମା ସାମଗ୍ରୀ ସଂଗ୍ରହ କରିବାରେ ନିୟୋଜିତ ଥିଲେ। ବିସ୍ଫୋରକ ତିଆରି କରିବା ପାଇଁ, ଆତଙ୍କବାଦୀ ୩ ଲକ୍ଷ ଟଙ୍କା ଦେଇ NPK ସାର କିଣିଥିଲେ। ବିସ୍ଫୋରଣ ପାଇଁ ସେଲ୍ଫ ଫଣ୍ଡିଂ କରାଯାଇଥିଲା। ଡକ୍ଟର ମୁଜାମ୍ମିଲ୍ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।
ଡକ୍ଟର ଆଦିଲ୍ ଅହମ୍ମଦ ରାଥର ୮ ଲକ୍ଷ ଟଙ୍କା, ଡକ୍ଟର ମୁଜାଫର୍ ଅହମ୍ମଦ ରାଥର ୬ ଲକ୍ଷ ଟଙ୍କା, ଡକ୍ଟର ଉମର ୨ ଲକ୍ଷ ଟଙ୍କା ଏବଂ ଡକ୍ଟର ଶାହିନା ଶାହିଦ୍ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମୋଟ ୨୬ ଲକ୍ଷ ଟଙ୍କା ନଗଦ ଆକାରରେ ସଂଗ୍ରହ କରାଯାଇ ଡକ୍ଟର ଉମରଙ୍କୁ ଦିଆଯାଇଥିଲା।
ଗୁରୁବାର ଦିନ NIA ତିନି ଜଣ ଡାକ୍ତର ଏବଂ ଜଣେ ଧର୍ମଗୁରୁଙ୍କୁ ଅଟକ ରଖିଛି। ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ଯେ, ସେମାନଙ୍କୁ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଗିରଫ କରାଯାଇଛି । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ବିସ୍ଫୋରଣ ପରେ, ଜମ୍ମୁ ଏବଂ କାଶ୍ମୀର ପୋଲିସ ମୁଜାମ୍ମିଲ ଗଣାଇ, ଆଦିଲ ରାଥର ଏବଂ ଶାହିନା ସଇଦଙ୍କୁ ଗିରଫ କରିଥିଲା ଏବଂ ପରେ ଧର୍ମଗୁରୁ ଇରଫାନ ଅହମ୍ମଦ ୱାଗାୟଙ୍କୁ ମଧ୍ୟ ଗିରଫ କରିଛି। NIA ମୁଖପାତ୍ରଙ୍କ ଏକ ବିବୃତ୍ତି ଅନୁଯାୟୀ, ସେଠାକାର ପଟିଆଲା ହାଉସ କୋର୍ଟରେ ଜିଲ୍ଲା ସେସନ୍ସ ଜଜଙ୍କ ଠାରୁ ପ୍ରଡକ୍ସନ ଅର୍ଡର ପରେ ଆତଙ୍କବାଦ ବିରୋଧୀ ତଦନ୍ତ ସଂସ୍ଥା ସେମାନଙ୍କୁ ଶ୍ରୀନଗରରେ ହେପାଜତକୁ ନେଇଛି।












Click it and Unblock the Notifications