ଭୟଙ୍କର ହେଉଛି ମଣିପୁର ହିଂସା; କେନ୍ଦ୍ର ସରକାର କଲେ ବଡ ନିଷ୍ପତ୍ତି, ତଦନ୍ତ କରିବ NIA
ମଣିପୁରରେ ଘଟିଥିବା ହିଂସାର ସାନି ତଦନ୍ତ ଦାୟିତ୍ବ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉପରେ ନ୍ୟସ୍ତ କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ମଣିପୁର ସ୍ଥିତି ସମୀକ୍ଷା କରାଯିବା ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ମଣିପୁରରେ ଘଟିଥିବା ତିନିଟି ଘଟଣାକୁ ନେଇ ଏନଆଇଏ ତଦନ୍ତ କରିବ।

ନଭେମ୍ବର ୭ରେ ଜିରିବାମ୍ ଜିଲାର ଜାଇରୋଲପୋକ୍ପି ଗ୍ରାମରେ ଉଗ୍ରପନ୍ଥୀମାନେ ଜଣେ ଆଦିବାସୀ ମହିଳାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିଲେ। ଏହାକୁ କେନ୍ଦ୍ରକରି ଜିରିବାମ ଜିଲାରେ ହିଂସାର ସୂତ୍ରପାତ ହୋଇଥିଲା। ନଭେମ୍ବର ୧୧ରେ ଜିରିବାମ୍ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୧ ଜଣ କୁକି ଉଗ୍ରପନ୍ଥୀ ପ୍ରାଣ ହରାଇଥିଲେ। ଗୁଳି ବିନିମୟ ଚାଲିଥିବାବେଳେ ଅନ୍ୟ କେତେକ କୁକି ଉଗ୍ରପନ୍ଥୀ ମୈତେଇ ସଂପ୍ରଦାୟର ୩ ଜଣ ମହିଳା ଓ ତିନିଜଣ ଶିଶୁଙ୍କୁ ଅପହରଣ କରିନେଇଥିଲେ। ଗତ ଶୁକ୍ରବାର ଏମାନଙ୍କର ମୃତଦେହ ଆସାମ-ମଣିପୁର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରାଯିବା ପରେ ସାନି ହିଂସା ଦେଖିବାକୁ ମିଳିଥିଲା। ନଭେମ୍ବର ୧୧ରେ ଜାକୁରାଧୋରସ୍ଥିତ ସିଆରପିଏଫ ଶିବିର ଉପରେ ହୋଇଥିବା ଆକ୍ରମଣର ତଦନ୍ତ ମଧ୍ୟ ଏନଆଇଏ କରିବ ବୋଲି ଜଣାପଡିଛି। ଉକ୍ତଦିନ ଉଗ୍ରପନ୍ଥୀମାନେ ବୋରୋବେକ୍ରାସ୍ଥିତ ଏକ ଥାନା ଉପରେ ଆକ୍ରମଣ କରିଥିବାବେଳେ କେତେକ ବାସଗୃହରେ ନିଆଁ ଲଗାଇ ଦେଇଥିଲେ।
ଅପରପକ୍ଷରେ ମଣିପୁରରେ ହିଂସା ରୋକିବାକୁ କେନ୍ଦ୍ର ପକ୍ଷରୁ ସିଆରପିଏଫ୍, ବିଏସଏଫ୍ର ୫୦ ଅତିରିକ୍ତ କମ୍ପାନୀ ( ପ୍ରାୟ ୫୦୦୦ ଯବାନ) ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରେ ସିଆରପିଏଫ୍ର ୩୫ ଓ ବିଏସଏଫ୍ର ୧୫ କମ୍ପାନୀ ଅନ୍ତର୍ଭୁକ୍ତ। ନିକଟରେ ମୈତେଇ ସଂପ୍ରଦାୟର ଅପହୃତ ୬ ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ଜିରିବାମ ଜିଲାରେ ସାନି ହିଂସାର ସୂତ୍ରପାତ ହୋଇଛି। ବିକ୍ଷୋଭକାରୀମାନେ କେତେକ ମନ୍ତ୍ରୀ ଓ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଫଳରେ ସେଠାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି।
ମଣିପୁରର ୭ ଜିଲାରେ ଅନିର୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ଇଣ୍ଟରନେଟ୍ ଓ ମୋବାଇଲ ସେବାକୁ ସାମୟିକ ଭାବେ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୨ରେ ମଣିପୁରକୁ ପ୍ରଥମ ଦଫାରେ ୨୦ କମ୍ପାନୀ ଅତିରିକ୍ତ ଯବାନ ପଠାଯାଇଛି। ଅପରପକ୍ଷରେ ରବିବାର ରାତିରେ ଜିରିବାମ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ସଂଘର୍ଷ ଚାଲିଥିବାବେଳେ ଗୁଳିମାଡ଼ରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ଜଣାପଡିଛି। ଆହତ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।












Click it and Unblock the Notifications