ଇଣ୍ଡିଗୋ ବିମାନକୁ ଧକ୍କା ଦେଲା ମିନି ବସ୍
ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ବିମାନବନ୍ଦରରେ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଧକ୍କା ଦେଲା ଏକ ମିନି ବସ୍ । ଏପରି ଅଘଟଣ ଶୁକ୍ରବାର ଦିନ ଘଟିଥିବା ସୂଚନା ମିଳିଛି । ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି କିନ୍ତୁ ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ସୁରକ୍ଷା ଅବହେଳା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାଦ୍ବାରା ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ୧୮ ଏପ୍ରିଲ ପ୍ରାୟ ୧୨.୧୫ ମିନିଟ୍ ସମୟରେ ପାର୍କିଂରେ ଇଣ୍ଡିଗୋ ବିମାନସହ ମିନି ବସ୍ ଧକ୍କା ହୋଇଥିଲା । ବିମାନଟି ପାର୍କିଂରେ ଥିବାବେଳେ ବସ୍ ଆସି ଧକ୍କା ଦେଇଥିଲା । ବିମାନଟି କେମ୍ପେଗୌଡା ରନୱେରେ ଠିଆ ହୋଇଥିବା ସମୟରେ ମିନି ବସଟି ବିମାନର ଅଣ୍ଡରକ୍ୟାରେଜକୁ ଧକ୍କା ଦେଇଥିଲା । ଫଳରେ ବସଟିର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ମଧ୍ୟ କୁହାଯାଇଛି ଯେ, ସମ୍ବନ୍ଧୀୟ ପକ୍ଷ ସହିତ ସମନ୍ବୟ ରଖି ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା ।
ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଯାତ୍ରୀ, ବିମାନ ଓ ଏୟାରଲାଇନ୍ସ ଷ୍ଟାଫଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ଆମେ ମାମଲାର ଯାଞ୍ଚ କରୁଛୁ। ଦୁର୍ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣା ଉପରେ ଆମେ ନଜର ରଖି ରହିଛୁ। ବେଙ୍ଗାଲୁରୁ ଏୟାରପୋର୍ଟ ପାର୍କିଂରେ ଛିଡା ହୋଇଥିବା ପ୍ଲେନକୁ ଏକ ଥାର୍ଡ ପାର୍ଟି ବାହନ ଧକ୍କା ଦେଇଛି। ମାମଲାର ଏବେ ତଦନ୍ତ କରାଯାଉଛି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ।












Click it and Unblock the Notifications