ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟକୁ ତେଜସ୍ୱୀଙ୍କ ଚେତାବନୀ
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ୱୀ ଯାଦବ ମହାମେଣ୍ଟ ପାଇଁ ଚେତାବନୀ ଶୁଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ଘୋଷଣା ନ ହେଲେ ନିର୍ବାଚନ ନ ଲଢ଼ିବା ପାଇଁ ତେଜସ୍ବୀଙ୍କ ଚେତାବନୀ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି।
ବୈଶାଳୀରେ ଏକ କାର୍ଯ୍ୟକ୍ରମରେ ତେଜସ୍ବୀ କହିଛନ୍ତି, 'ଆମେ ବିଜେପି ଭଳି ବିନା ଚେହେରାରେ ନିର୍ବାଚନ ଲଢ଼ିବା ପ୍ରଶ୍ନ ଉଠୁନାହିଁ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିନା ଆମେ ନିର୍ବାଚନକୁ ଯିବୁ ନାହିଁ ବୋଲି ଆଗୁଆ ସ୍ପଷ୍ଟ କରୁଛୁ ଏବଂ ସେହି ଆଧାରରେ ପଦକ୍ଷେପ ଗ୍ରହଣ କରିବୁ।'ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ତେଜସ୍ବୀ ବିଭିନ୍ନ ସମୟରେ ସମର୍ଥନ କରି ଆସିଥିବାରୁ ଏବେ ବିହାର ନିର୍ବାଚନ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସେ ସର୍ତ୍ତ ରଖିଛନ୍ତି।

ତେଜସ୍ବୀଙ୍କ ଭୋଟର ଅଧିକାର ଯାତ୍ରା ଇତିମଧ୍ୟରେ ୩୮ଟି ଜିଲ୍ଲାରେ ୩,୫୦୦ କିଲୋମିଟର ଅତିକ୍ରମ କରି ବେକାରୀ, ଶ୍ରମିକଙ୍କ ପଳାୟନ ପ୍ରସଙ୍ଗ, ମୂଲ୍ୟବୃଦ୍ଧି, ଦୁର୍ନୀତି ଓ ଆଇନଶୃଙ୍ଖଳା ସମସ୍ୟାକୁ ଉତ୍ଥାପନ କରିଛି। ତେଜସ୍ୱୀଙ୍କ ସର୍ତ୍ତ ଏବେ ମହାମେଣ୍ଟ ଉପରେ ଚାପ ସୃଷ୍ଟି କରିଥିବା ବେଳେ କଂଗ୍ରେସ ନେତା କ୍ରିଷ୍ଣା ଆଲାଭାରୁ କହିଛନ୍ତି, 'ମୁଖ୍ୟମନ୍ତ୍ରୀ କିଏ ହେବେ, ସେହି ନିଷ୍ପତ୍ତି ବିହାରର ଜନସାଧାରଣ ନେବେ। ସିପିଆଇ(ଏମ୍ଏଲ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ମେଣ୍ଟର ବିଜୟ ପରେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନେବାକୁ ସମର୍ଥନ କରିଛନ୍ତି।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଏ ବିଷୟରେ କୌଣସି ମତ ରଖିନାହାନ୍ତି। ଆସନ ବଣ୍ଟନ ଓ ନେତୃତ୍ୱ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାର ଜରୁରୀ ସମାଧାନ ପାଇଁ ମେଣ୍ଟର ବରିଷ୍ଠ ନେତାମାନେ ମତ ରଖିଛନ୍ତି।












Click it and Unblock the Notifications