ଲାଲୁଙ୍କ ପୁଅ ତେଜପ୍ରତାପ ଅଛନ୍ତି ରିଲେସନଶିପରେ, କହିଲେ ୧୨ ବର୍ଷ ଧରି....
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ରାଷ୍ଟ୍ରୀୟ ଜନତା ଦଳ(RJD ) ବିଧାୟକ ତେଜ ପ୍ରତାପ ଯାଦବ ଶନିବାର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ବିଷୟରେ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ଏହାକୁ ସେ ଡିଲିଟ୍ କରି ଦେଇଛନ୍ତି । ଯଦିଓ ତେଜ ପ୍ରତାପ ପୋଷ୍ଟ ଡିଲିଟ୍ କରି ଦେଇଛନ୍ତି, କିନ୍ତୁ ୟୁଜର୍ସ ସ୍କ୍ରିନ୍ସଟ୍ ନେଇ ପୋଷ୍ଟକୁ ଭାଇରାଲ କରୁଛନ୍ତି ।
ତେଜ ପ୍ରତାପ ଫେସବୁକ୍ ପୋଷ୍ଟରେ ଲେଖିଥିଲେ, 'ମୁଁ ତେଜ ପ୍ରତାପ ଯାଦବ ଏବଂ ଏହି ଫଟୋରେ ମୋ ସହିତ ଦେଖାଯାଉଥିବା ଝିଅଜଣଙ୍କ ହେଉଛନ୍ତି ଅନୁଷ୍କା ଯାଦବ । ଆମେ ଦୁହେଁ ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଜାଣିଛୁ ଏବଂ ଉଭୟ ଉଭୟଙ୍କୁ ଭଲ ପାଉ । ଆମେ ୧୨ ବର୍ଷ ଧରି ଏକ ସମ୍ପର୍କରେ ଅଛୁ । ମୁଁ ବହୁତ ଦିନ ଧରି ଆପଣମାନଙ୍କୁ ଏହା କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏହାକୁ କିପରି କହିବି ବୁଝିପାରୁ ନଥିଲି। ତେଣୁ ଆଜି, ଏହି ପୋଷ୍ଟ ମାଧ୍ୟମରେ ମୁଁ ଆପଣଙ୍କ ସମସ୍ତଙ୍କ ସହିତ ମୋ ହୃଦୟର ଭାବନା ବାଣ୍ଟିଛି । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ମୁଁ କ'ଣ କହୁଛି ତାହା ବୁଝିପାରିବେ।'

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ତେଜ ପ୍ରତାପ ଯାଦବ ୨୦୧୮ରେ ବିବାହ କରିଥିଲେ । କିନ୍ତୁ କିଛି ମାସ ପରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ତେଜ ପ୍ରତାପଙ୍କ ମଧ୍ୟରେ ମତଭେଦ ଏବଂ ବିବାଦ ଯୋଗୁଁ ଦୁହେଁ ଅଲଗା ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । କିନ୍ତୁ ତେଜ ପ୍ରତାପ ଅନେକ ଥର ଏହି ବିବାହକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହା ସହିତ ଏକ ପଡକାଷ୍ଟରେ ସେ କହିଥିଲେ ଯେ, ବର୍ତ୍ତମାନ ସେ ବିବାହକୁ ଭୟ କରୁଛନ୍ତି। ତଥାପି ପୁନଃବିବାହ ପ୍ରସଙ୍ଗରେ ସେ କହିଥିଲେ ଯେ, ଛାଡପତ୍ର ମାମଲା ପରେ ଏହା ଦେଖାଯିବ।
ହେଲେ ଏବେ ନିଜର ପୁରୁଣା ପ୍ରେମ ସଂପର୍କରେ ସୋସିଆଲ ମିଡିଆରେ ଘୋଷଣା କରିବା ପରେ ଉଭୟ ତେଜ ପ୍ରତାପ ଏବଂ ତାଙ୍କର କଥିତ ପ୍ରେମିକା ଅନୁଷ୍କା ଯାଦବ ଚର୍ଚ୍ଚାକୁ ଆସିଛନ୍ତି ।












Click it and Unblock the Notifications