ଗୃହରୁ ଛାଡି ପଳାଇଲେ ରାଜ୍ୟପାଳ ଆରଏନ ରବି ; କହିଲେ ଡିଏମକେ ସମ୍ୱିଧାନର...
ନୂଆଦିଲ୍ଲୀ : ୨୦୨୫ର ତାମିଲନାଡୁ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହାଇ ଡ୍ରାମା । ରାଜ୍ୟପାଳ ଆରଏନ ରବି ଗୃହରେ ଦେଲେ ନାହିଁ ନିଜର ସ୍ୱାଗତ ଅଭିଭାଷଣ। ଜାତୀୟ ସଙ୍ଗୀତ ସମ୍ୱନ୍ଧିତ ଏକ ଗୁରୁତର ମାମଲାକୁ ଦର୍ଶାଇ, ଆଜି ସେ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନ ବେଳେ ନିଜର ପାରମ୍ପରିକ ଅଭିଭାଷଣ ଦେଲେ ନାହିଁ। ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ , ରାଜ୍ୟପାଳଙ୍କ ବିଧାନସଭା ଆଗମନରେ ଜାତୀୟସଙ୍ଗୀତ ସ୍ଥାନରେ କେବଳ " ତାମିଲ ତାଇ ଭାଝଦୁ" ରାଜ୍ୟ ସଙ୍ଗୀତ ଗାୟନ ହୋଇଥିଲା।
ତାମିଲନାଡୁର ରାଜ୍ୟ ସଂଗୀତ ପରେ ରାଜ୍ୟପାଳ ଆର.ଏନ ରବି ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ ମଧ୍ୟ ତାଙ୍କ ଦାବି ଗ୍ରହଣ କରାଯାଇ ନ ଥିଲା। ରାଜ୍ୟପାଳ ଏହା ଉପରେ ଏତେ ରାଗିଗଲେ, ସେ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନ କରି ଫେରିଯାଇଥିଲେ। ସମଗ୍ର ବିବାଦ ଉପରେ ତାମିଲନାଡୁ ରାଜ ଭବନ ଏକ ବିବୃତ୍ତି ଦେଇଛନ୍ତି।
ସୋସିଆଲ ମିଡିଆରେ ଶେୟାର କରିଥିବା ବିବୃତ୍ତିରେ ରାଜ ଭବନ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ ଭାରତର ସମ୍ବିଧାନ ଏବଂ ଜାତୀୟ ସଂଗୀତ ପୁଣି ଥରେ ଅପମାନିତ ହୋଇଛି। ସମ୍ବିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଂଗୀତ ପ୍ରତି ସମ୍ମାନ ବୋଲି କୁହାଯାଇଛି।

ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଂଗୀତ ଗାନ କରାଯାଉଛି। ଆଜି ଯେତେବେଳେ ରାଜ୍ୟପାଳ ଗୃହରେ ପହଞ୍ଚିଲେ ସେତେବେଳେ କେବଳ ତାମିଲ ଥାଇ ଭାଜଥୁ ଗାନ କରାଯାଇଥିଲା। ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ଜାତୀୟ ସଂଗୀତ ତଥା ଭାରତର ସମ୍ବିଧାନର ଅପମାନର ଅଂଶ ନ ହୋଇ ରାଜ୍ୟପାଳ ନିଜର ଅସନ୍ତୋଷ ବ୍ୟକ୍ତ କରି ଗୃହ ଛାଡିଥିଲେ।
ସୂଚନାଯୋଗ୍ୟ ଯେ ବିଗତ ଦୁଇ ବର୍ଷ ଧରି ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରେ ଅନେକ ବିବାଦ ଲାଗି ରହିଛି। ଗତଥର ରାଜ୍ୟପାଳ ତାଙ୍କ ସମ୍ବୋଧନ ସମୟରେ ସରକାରଙ୍କ ବିବୃତ୍ତିର କିଛି ଧାଡ଼ି ପଢିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।












Click it and Unblock the Notifications