ତାମିଲନାଡୁ ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ, ୬ ମୃତ
ଚେନ୍ନାଇ : ତାମିଲନାଡୁର ବିରୁଧୁନଗରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ବିରୁଧୁନଗର ଜିଲାର ସତ୍ତୁର ଅଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ସମସ୍ତ ମୃତକ କାରଖାନାରେ କାମ କରୁଥିବା କର୍ମଚାରୀ ଅଟନ୍ତି।ବାଣ କାରଖାନା ଅପ୍ପାନାୟାକନପଟ୍ଟୀ ପଞ୍ଚାୟତ ବୋମ୍ମୟପୁରମ ଗାଁ ନିକଟରେ ରହିଛି । ଏହାକୁ ବାଲାଜୀ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିଲେ ।
ବିସ୍ଫୋରଣ ସମୟରେ ଶ୍ରମିକ ମାନେ ପ୍ରତିଦିନ ଭଳି କାମ କରୁଥିଲେ । ତେବେ ବିସ୍ଫୋରଣରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ କେତେ ଲୋକ ଗୁରୁତର ହୋଇଛନ୍ତି ସେନେଇ ସଠିକ ସୂଚନା ମିଳିପାରି ନାହିଁ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ନିକଟରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ବୁଧବାର ରାତିରେ ଘଟିଥିବା ଏହି ବିସ୍ଫୋରଣରେ ୬ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ ଏହାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଗାଁ ଥରି ଉଠିଥିଲା । ପ୍ଲାଣ୍ଟରୁ ପ୍ରଥମେ ବଡ଼ ନିଆଁ ହୁଳା ଉପରକୁ ଉଠିଥିଲା ଏବଂ ଏହାପରେ ପ୍ରଚଣ୍ଡ ଶବ୍ଦ କରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା ।
ରାତି ପ୍ରାୟ ୧୦ଟା ୧୫ରେ ତିରୁପତିର ପେନେପଲ୍ଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ବିସ୍ଫୋରଣ ପ୍ରଭାବରେ ଆଖପାଖ ଘରଗୁଡ଼ିକର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା । ପ୍ଲାଣ୍ଟରେ ବଏଲର୍ ତ୍ରୁଟି ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିଲେ। ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଥିଲା । ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିଲେ।












Click it and Unblock the Notifications