ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ,
କର୍ଣ୍ଣାଟକ ସେକ୍ସ ସ୍କାଣ୍ଡଲରେ ଫସିଥିଲା ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ମଧ୍ୟ ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶନିବାର ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୁଲିସ୍ ସୂରଜଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ହୋଲେନାରସିପୁରା ସ୍ଥାନୀୟ ପୁଲିସ ଶନିବାର ଆଇପିସି ଧାରା ୩୭୭ (ଅସ୍ୱାଭାବିକ ଯୌନ ସମ୍ପର୍କ), ୩୪୨ (ବନ୍ଧକ ରଖିବା), ୫୦୬(ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ଉଭୟ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଟ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି। ମାମଲା ରୁଜୁ କରିବା ପୂର୍ବରୁ ପୀଡିତ ଯୁବକ ଜଣ ରାଜ୍ୟ ଗୃହମନ୍ତ୍ରୀ ତଥା ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ଲେଖିଥିଲେ।
ଏଫଆଇଆର୍ ଅନୁସାରେ ପୀଡିତ ଯୁବକଙ୍କୁ ଜୁନ୍ ୧୬ ତାରିଖରେ ସୂରଜ ତାଙ୍କ ଫାର୍ମ ହାଉସ୍କୁ ଡାକିଥିଲେ। ଏହାପରେ ସେ ୬ଟା ୧୫ରେ ସୂରଜଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ସୂରଜ ବଳପୂର୍ବକ ସେଠାରେ ତାଙ୍କ ଗାଲ ଓ ଓଠକୁ କିସ୍ କରିଥିଲେ। ଯଦି ସେ ସହଯୋଗ ନ କରିବେ, ଓ ଏ ବିଷୟରେ କାହାକୁ କୁହନ୍ତି ତା'ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ।
କେବଳ ସେତିକି ନୁହେଁ ସୂରଜ ରେଭାନ୍ନା ତାଙ୍କୁ ଚାକିରି ଦେବା ଏବଂ ରାଜନୀତିରେ ଆଣିବା ପାଇଁ ଆଶ୍ୱାସନା ଦେଇଥିବା ପୀଡିତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଅନୁଯାୟୀ ମାମଲାର ତଦନ୍ତ ଜାରି ରଖିଛି।
ଏହାପୂର୍ବରୁ ସୂରଜ ଓ ତାଙ୍କ ସହଯୋଗୀ ଶିବକୁମାର ମଧ୍ୟ ହୋଲେନାରସିପୁରା ପୁଲିସ୍ରେ ସେମାନଙ୍କୁ ବ୍ଲାକମେଲ କରାଯାଉଥିବା ନେଇ ଗୋଟିଏ ଏଫଆଇଆର ଦେଇଥିଲେ। ସେମାନଙ୍କୁ ଯୌନ ନିର୍ଯାତନା କେସ୍ରେ ଫସାଇ ଦିଆଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଉଥିବା ଉଭୟ ଅଭିଯୋଗ କରିଥିଲେ।












Click it and Unblock the Notifications