ବୁଲଡୋଜର ଆକ୍ସନରେ ସୁପ୍ରିମକୋର୍ଟଙ୍କ ଶୁଣାଣି , କହିଲେ ଦୋଷୀ ସାବ୍ୟସ୍ତ ହେଲେ ବି ବୁଲଡୋଜର ଚାଲିବା ଉଚିତ୍ ନୁହେଁ
ନୂଆଦିଲ୍ଲୀ: ବୁଲଡୋଜର ସହ ଜଡିତ ମାମଲାର ଶୁଣାଣି ସେପ୍ଟେମ୍ବର ୨ ସୋମବାର ଦିନ ସୁପ୍ରିମକୋର୍ଟ(ଏସସି )ରେ ଆରମ୍ଭ ହୋଇଛି। ଯେଉଁଥିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଗଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମେହେଟ୍ଟା କହିଥିଲେ ଯେ ପୌରସଂସ୍ଥା ଆଇନ ଅନୁଯାୟୀ ବୁଲଡୋଜିଂ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କେବଳ ପୌରସଂସ୍ଥା ନୋଟିସ ଦେବା ପରେ ବେଆଇନ ଅତିକ୍ରମଣ ମାମଲାରେ ଏହା କରାଯାଇଛି।
ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଘର ଓ ବିଲଡିଂ ଉଚ୍ଛେଦ ନେଇ ସର୍ବୋଚ୍ଚ ଅଦାଲତ ଗୋଟିଏ ଗାଇଡଲାଇନ ଜାରି କରିବେ। ଜଣେ ବ୍ୟକ୍ତି ଅଭିଯୁକ୍ତ ହୋଇଛନ୍ତି ବୋଲି ତାଙ୍କ ଘର କେମିତି ଭାଙ୍ଗିବା? ଯଦି ବି ସେ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତଥାପି ତାଙ୍କ ଘରକୁ ଭଙ୍ଗା ଯାଇ ପାରିବ ନାହିଁ।

ଏ ସମ୍ପର୍କରେ ସୁପ୍ରିମକୋର୍ଟ ବାର ଆସୋସିଏସନକୁ କୁହାଯାଇଥିଲା। କିନ୍ତୁ ଏହି ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବା ଭଳି ଆମକୁ ଦୃଶ୍ୟମାନ ହେଉନି ବୋଲି ଜାମିଆ ଉଲେମା ଇ- ହିନ୍ଦର ଆବେଦନର ଶୁଣାଣି ବେଳେ ଜଷ୍ଟିସ ଗଭାଇ କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ ଯେ ୨୦୨୨ ଦଙ୍ଗା ପରେ ତୁରନ୍ତ ଦିଲ୍ଲୀରେ ଅନେକ ଘର ଭାଙ୍ଗି ଦିଆଯାଇଥିଲା। କୁହାଯାଇଥିଲା ଯେ ଏଠାରେ ରହୁଥିବା ଲୋକମାନେ ହିଂସାକୁ ଉସକାଇଥିଲେ।
ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଉଦୟ ସିଂହ ରାଜସ୍ଥାନର ଉଦୟପୁରରେ ଘଟିଥିବା ଗୋଟିଏ ଘଟଣାର ଉଦାହରଣ ଦେଇଥିଲେ। ଏଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପୁଅ ଗୋଟିଏ ଅପରାଧରେ ସାମିଲ ଥିବା ଅଭିଯୋଗ ହେବାରୁ ପ୍ରଶାସନ ତାଙ୍କ ଘର ଭାଙ୍ଗି ଦେଇଥିଲା। କେହି ବି ଲାକୁନାଗୁଡ଼ିକର ଫାଇଦା ଉଠାଇବା କଥା ନୁହେଁ ବୋଲି ମତ ରଖିଥିବା ଜଷ୍ଟିସ ବିଶ୍ୱନାଥନ କହିଛନ୍ତି ଯେ ବାପାଙ୍କର ସମ୍ଭବତଃ ଗୋଟିଏ ଆଜ୍ଞା ପାଳନ କରୁ ନଥିବା ପୁଅ ରହିଥାଇ ପାରେ, କିନ୍ତୁ ଏଥିପାଇଁ ଯେ ବାପା ରହୁଥିବା ଘରକୁ ଭାଙ୍ଗିବା ଆଦୌ ଉଚିତ ନୁହେଁ।












Click it and Unblock the Notifications