ପଶ୍ଚିମବଙ୍ଗ ଏସଆଇଆର୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କହିଲେ.....
ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍ ଅଫିସ ଓ ଓ୍ବାର୍ଡ ଅଫିସ୍ରେ ପ୍ରଦର୍ଶିତ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୧.୨୫ କୋଟି ଭୋଟର ଉକ୍ତ ତାଲିକାରେ ରହିଥିବା ଜଣାପଡ଼ିଛି।

୨୦୦୨ର ଭୋଟର ତାଲିକା ସହ ସନ୍ତାନଙ୍କୁ ନେଇ ତାର୍କିକ ବିସଙ୍ଗତି ରହିଛି। ଉଦାହରଣ ସ୍ବରୂପ ମାତାପିତାଙ୍କ ନାମରେ ମେଳ ରହୁ ନ ଥିବାବେଳେ କେଉଁଠି ଭୋଟର ଏବଂ ସେମାନଙ୍କ ମାତାପିତାଙ୍କ ବୟସ ମଧ୍ୟରେ ୧୫ ବର୍ଷରୁ କମ୍ କିମ୍ବା ୫୦ ବର୍ଷରୁ ଅଧିକ ବ୍ୟବଧାନ ରହୁଛି। ବର୍ତ୍ତମାନର ଭୋଟର ତାଲିକା ସଂଶୋଧନ ଦ୍ୱାରା ପ୍ରଭାବିତ ହେବା ସମ୍ଭାବନା ଥିବା ଲୋକମାନେ ସେମାନଙ୍କ ଦସ୍ତାବିଜ୍ ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅନୁମତି ଦେବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି।
ଏଥିପାଇଁ ପ୍ରତି ପଞ୍ଚାୟତ କିମ୍ବା ବ୍ଲକ୍ ଅଫିସରେ ଦସ୍ତାବିଜ୍ ଓ ଆପତ୍ତି ଦାଖଲ ପାଇଁ ଅଫିସ ଖୋଲିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିପାଇଁ ପଞ୍ଚାୟତ ଭବନ ଓ ବ୍ଲକ୍ ଅଫିସ ପାଇଁ ରାଜ୍ୟ ସରକାର ପର୍ଯ୍ୟାନ୍ତ ଲୋକ ନିୟୋଜିତ କରିବେ। ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ନ ହୁଏ ଏବଂ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଅଦାଲତ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications