୩୪ ବର୍ଷର ପୁରୁଣା ରାୟ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ରାଜ୍ୟର ରହିଛି ମଦ ଉପରେ ଆଇନ ପ୍ରଣୟନ ଅଧିକାର
ନୂଆଦିଲ୍ଲୀ : ମଦ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି ଓ ଏହାକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି କହି ସୁପ୍ରିମକୋର୍ଟ ୩୪ ବର୍ଷର ପୁରୁଣା ରାୟକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଏହାର ରାୟ ପ୍ରଦାନ କରି କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି। ଏହା ଉପରେ କେନ୍ଦ୍ରର ନିୟାମକ ଶକ୍ତି ନାହିଁ।
ଏହି ରାୟ ପ୍ରଦାନ କରି ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ରାଜ୍ୟ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। ଇଣ୍ଡଷ୍ଟ୍ରିୟାଲ୍ ଆଲକହଲର ଉତ୍ପାଦନ ଏବଂ ଯୋଗାଣ ସଂପର୍କରେ ମଧ୍ୟ ରାଜ୍ୟଗୁଡ଼ିକର ନିୟମ ପ୍ରସ୍ତୁତ କରିବାର ଅଧିକାର ଅଛି।
ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଗ୍ରାହକମାନେ ଖାଉଥିବା ମଦ ସହ ଜଡିତ ରାଜ୍ୟମାନଙ୍କର ଆଇନଗତ ଶକ୍ତି ରହିଛି। ସେହିଭଳି, ଇଣ୍ଡଷ୍ଟ୍ରିୟାଲ୍ ଆଲକହଲକୁ ମଧ୍ୟ ନିୟନ୍ତ୍ରଣ କରିବାର ରାଜ୍ୟଗୁଡିକର ଅଧିକାର ରହିବା ଉଚିତ୍। ଏହି ମାମଲାର ପୂର୍ବ ଶୁଣାଣି ଚଳିତବର୍ଷ ଏପ୍ରିଲ ୧୮ ତାରିଖରେ ହୋଇଥିଲା। ସେହି ସମୟରେ ସାମ୍ବିଧାନିକ ଖଣ୍ଡପୀଠ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲା। ଏଥର ୬ ଦିନର ମାରାଥନ ଶୁଣାଣି ପରେ ବୁଧବାର ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି।

ଏହି ନିଷ୍ପତ୍ତି ଦେଇଥିବା ବେଞ୍ଚରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ୍ ହୃଷିକେଶ ରାୟ, ଜଷ୍ଟିସ୍ ଅଭୟ ଏସ୍ ଓକ୍, ଜଷ୍ଟିସ୍ ବି.ଭି ନାଗରତ୍ନା, ଜଷ୍ଟିସ୍ ଜେ.ବି ପାରଦୀୱାଲା, ଜଷ୍ଟିସ୍ ମନୋଜ ମିଶ୍ର, ଜଷ୍ଟିସ୍ ଉଜ୍ୱଲ ଭୂୟାଁ, ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ରହିଥିଲେ। କେବଳ ଜଷ୍ଟିସ୍ ବି.ଭି ନାଗରତ୍ନା ଭିନ୍ନମତ ବ୍ୟକ୍ତ କରିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ବହୁମତ ନିଷ୍ପତ୍ତି ଶୁଣାଇଥିଲେ।












Click it and Unblock the Notifications