ନିର୍ବାଚନ ଆୟୋଗଙ୍କୁ ବଡ଼ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ, ବିହାରରେ ଜାରି ରହିବ ......
ବିହାରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଜାରି ରଖିବା ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ଜଷ୍ଟିସ ଜୟମାଲ୍ୟ ବାଗ୍ଚିଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିହାରରେ ଆଗକୁ ନିର୍ବାଚନ ହେବାକୁ ଥିବାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ନେଇ ଆଗତ କେତୋଟି ମାମଲାର ଶୁଣାଣି କରିବା ଅବସରରେ ଖଣ୍ଡପୀଠଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ତେବେ ଏହି ସଂଶୋଧନ ପ୍ରକ୍ରିୟାରେ ନ୍ୟାୟିକ ସ୍ୱାର୍ଥରକ୍ଷାକୁ ଦୃଷ୍ଟିରେ ରଖି ଆଧାରକାର୍ଡ, ରାସନକାର୍ଡ ଏବଂ ଭୋଟର ପରିଚୟପତ୍ର ପରି ପ୍ରମୁଖ ପରିଚୟପତ୍ର ଗ୍ରହଣ କରିବା ନେଇ ବିଚାର କରିବାକୁ ଖଣ୍ଡପୀଠ ନିର୍ବାଚନ ଆୟୋଗକଙ୍କୁ କହିଛନ୍ତି।
ଆୟୋଗଙ୍କ ଦ୍ୱାରା ବିହାରରେ ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ସ୍ୱୀକୃତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଏହି ସ୍ୱତନ୍ତ୍ର ପଦକ୍ଷେପ କାହିଁକି ଗ୍ରହଣ କରାଯାଇନାହିଁ ବୋଲି ଖଣ୍ଡପୀଠ ମଧ୍ୟ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସଂଶୋଧନ ପ୍ରକ୍ରିୟାରେ ଆଧାରକାର୍ଡକୁ ବାଦ୍ ଦେବା ନେଇ ମାମଲାରେ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ଏହାର ଜବାବରେ ଆୟୋଗ କହିଛନ୍ତି, ଭୋଟର ହେବା ପାଇଁ ନାଗରିକତ୍ୱ ଯାଞ୍ଚ ଜରୁରୀ ଏବଂ ଏହାର ପ୍ରମାଣଭାବେ ଆଧାରକାର୍ଡକୁ ବ୍ୟବହାର କରାଯାଇପାରିବ ନାହିଁ। ଏହା ଉପରେ ପ୍ରତିକ୍ରିୟା ରଖି ଖଣ୍ଡପୀଠ କହିଛନ୍ତି, ଏଥିପାଇଁ ବହୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିଲା। ତେବେ ନାଗରିକତ୍ୱ ପ୍ରସଙ୍ଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରିସରଭୁକ୍ତ ବୋଲି ଖଣ୍ଡପୀଠ କହିଛନ୍ତି। ବିହାରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଆଗତ ଏକାଧିକ ମାମଲାର ସୁପ୍ରିମକୋର୍ଟ ଏକାଠି ଶୁଣାଣି କରୁଛନ୍ତି।
ସୂଚନାଯୋଗ୍ୟ, ସଂଶୋଧିତ ଚିଠା ଭୋଟର ତାଲିକା ଆସନ୍ତା ମାସରେ ପ୍ରକାଶ ପାଇବ। ଏହି ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣିକୁ ଖଣ୍ଡପୀଠ ଆସନ୍ତା ୨୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସପ୍ତାହକ ମଧ୍ୟରେ ମାମଲାଗୁଡ଼ିକରେ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୮ ତାରିଖ ପୂର୍ବରୁ ଆବେଦନକାରୀଙ୍କୁ ଆୟୋଗଙ୍କ ଜବାବ ଉପରେ ପ୍ରତି ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି।












Click it and Unblock the Notifications