ବୁଲା କୁକୁର ମାମଲାରେ ମାନେକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ପଶୁ କର୍ମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ପୋଡକାଷ୍ଟ ସମୟରେ ବୁଲା କୁକୁର ମାମଲାରେ କୋର୍ଟଙ୍କ ବିଚାରଧାରା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହା କୋର୍ଟଙ୍କ ଉଦାରତା ଯେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କୁ ବୁଲା କୁକୁର ଆକ୍ରମଣ ପାଇଁ ଦାୟୀ କରିବା ବିଷୟରେ କୋର୍ଟ ଯାହା କହିଛନ୍ତି, ତାହା ଗମ୍ଭୀର ଥିଲା ଓ ତାହା ମଜାରେ କୁହାଯାଇ ନ ଥିଲା।

ଗାନ୍ଧୀଙ୍କ ଓକିଲ ରାଜୁ ରାମଚନ୍ଦ୍ରନଙ୍କୁ କୋର୍ଟ କହିଛନ୍ତି, କିଛି ସମୟ ପୂର୍ବରୁ ଆପଣ କୋର୍ଟଙ୍କୁ କହୁଥିଲେ ଯେ ଆମେ ସତର୍କ ରହିବା ଉଚିତ। ଆପଣଙ୍କ ମହକିଲ କେଉଁ ପ୍ରକାରର ମନ୍ତବ୍ୟ ଦେଉଛନ୍ତି ତାହା ଆପଣ ଜାଣିଛନ୍ତି କି? ଆପଣଙ୍କ ମହକିଲ ଅବମାନନା କରିଛନ୍ତି। ତାହା ହେଉଛି ଆମର ଉଦାରତା ଯେ ଆମେ ଏହାକୁ ଗ୍ରହଣ କରୁନାହୁଁ।
ଆପଣ ତାଙ୍କ ପୋଡକାଷ୍ଟ ଶୁଣିଛନ୍ତି କି? ତାଙ୍କର ବଡି ଲାଙ୍ଗୁଏଜ୍ କିପରି ଥିଲା? ସେ କ'ଣ କୁହନ୍ତି ଓ କିପରି କୁହନ୍ତି। ରାମଚନ୍ଦ୍ରନ୍ ଜଳାତଙ୍କ ନିୟନ୍ତ୍ରଣ ପଦକ୍ଷେପ, ଟିକାର ଉପଲବ୍ଧତା ଏବଂ ବୁଲା କୁକୁର ଆକ୍ରମଣର ମୁକାବିଲା ପାଇଁ ପେସାଦାରଙ୍କ ଦକ୍ଷତା ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଏହାର ଜବାବରେ କୋର୍ଟ କହିଛନ୍ତି, ଯେହେତୁ ଆପଣଙ୍କ ମହକିଲ ଜଣେ ପଶୁ ଅଧିକାର କର୍ମୀ, ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ, ତେଣୁ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ଆବଣ୍ଟନରେ ଆପଣଙ୍କ ମହକିଲଙ୍କ ଅବଦାନ କ'ଣ?
ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି, ଯେ ବନ୍ଧ୍ୟାକରଣ ଦ୍ୱାରା ବୁଲା କୁକୁରଙ୍କ ଆକ୍ରୋଶ ହ୍ରାସ ପାଇଥାଏ, କିନ୍ତୁ ଅଧିକାଂଶ ସହରରେ କୌଣସି ପ୍ରଭାବଶାଳୀ ବନ୍ଧ୍ୟାକରଣ କାର୍ଯ୍ୟକାରୀ ହେଉନାହିଁ। ଏହା ପରେ ସେ କହିଥିଲେ ଯେ କୋର୍ଟଙ୍କ ପର୍ଯ୍ୟବେକ୍ଷଣ ବେଳେବେଳେ ଦୁର୍ଭାଗ୍ୟଜନକ ପରିଣାମ ଆଣିପାରେ। ଉଦାହରଣ ସ୍ୱରୂପ, ଆପଣ କହିଛନ୍ତି ଯେ କୁକୁର କାମୁଡ଼ା ପାଇଁ ଫିଡରମାନଙ୍କୁ ଦାୟୀ କରାଯିବା ଉଚିତ। ବୋଧହୁଏ ଏହା ବ୍ୟଙ୍ଗାତ୍ମକ ଥିଲା। ଏହାର ଉତ୍ତରରେ ଜଷ୍ଟିସ୍ ନାଥ କହିଛନ୍ତି, ନା, ଆମେ ଏହାକୁ ବ୍ୟଙ୍ଗାତ୍ମକ ଭାବରେ କରିନାହୁଁ। ଆମେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ କହିଥିଲୁ।
ଭୂଷଣ ଉତ୍ତର ଦେଇଛନ୍ତି ଯେ, କୁକୁର ଫିଡର୍ ଉପରେ ଆକ୍ରମଣ କରାଯାଉଛି ଏବଂ ଆକ୍ରମଣକାରୀମାନେ ଏହି ମନ୍ତବ୍ୟ ଦେଉଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଓକିଲଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ମନ୍ତବ୍ୟ ମୌଖିକ ଯୁକ୍ତି ଥିଲା। ରାମଚନ୍ଦ୍ରନ୍ କହିଛନ୍ତି ଯେ ଏହି ମନ୍ତବ୍ୟ ଟେଲିଭିଜନରେ ପ୍ରସାରିତ ହେଉଛି ଏବଂ ଉଭୟ ବାର୍ ଓ ବେଞ୍ଚର କର୍ତ୍ତବ୍ୟ ରହିଛି। ଏହାର ଉତ୍ତରରେ ଖଣ୍ଡପୀଠ କହିଛନ୍ତି, ହଁ, ଏହି କାରଣରୁ ଆମେ କେବଳ ଅଧିକ ମନ୍ତବ୍ୟ ଦେବାରୁ ନିଜକୁ ନିବୃତ୍ତ ରଖିଛୁ।
ଗତ ସପ୍ତାହରେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଶିଶୁ କିମ୍ବା ବୃଦ୍ଧଙ୍କ ମୃତ୍ୟୁ କିମ୍ବା ଆହତ ହେଉଥିବା ପ୍ରତ୍ୟେକ ଆକ୍ରମଣ ପାଇଁ ମୋଟା ଅଙ୍କର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିବେ। ଏଥିସହ ଯେଉଁମାନେ ଏହି ବୁଲା କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ସ୍ଥିର କରାଯିବ। ଯଦି ଆପଣ ଏହି ପଶୁମାନଙ୍କୁ ଏତେ ଭଲ ପାଆନ୍ତି, ତେବେ ଆପଣ କାହିଁକି ସେମାନଙ୍କୁ ନିଜ ଘରକୁ ନେଇଯାଉନାହାନ୍ତି। ଏହି କୁକୁରମାନେ କାହିଁକି ବୁଲିବେ, କାମୁଡ଼ିବେ ଓ ଲୋକଙ୍କୁ ଭୟଭୀତ କରିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।












Click it and Unblock the Notifications