ଜଷ୍ଟିସ ବର୍ମାଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟରେ ଆବେଦନ ଖାରଜ
ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତଦନ୍ତ କମିଟି ଧାର୍ଯ୍ୟ ପ୍ରକ୍ରିୟାର ଅନୁପାଳନ କରିଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ପିଟିସନକୁ ଖାରଜ କରିଦେଇଥିଲେ।
କୋର୍ଟ କହିଛନ୍ତି ଯେ ତାଙ୍କର ଆବେଦନ ବିଚାରଯୋଗ୍ୟ ନୁହେଁ । ସୁପ୍ରିମକୋର୍ଟ ଆଭ୍ୟନ୍ତରୀଣ ତଦନ୍ତ ପ୍ୟାନେଲ ଏବଂ ପୂର୍ବତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରକ୍ରିୟାକୁ ଆଇନଗତ ଏବଂ ସାମ୍ବିଧାନିକ ବୋଲି ବିଚାର କରିଥିଲେ। ଗତ ଶୁଣାଣିରେ, ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ ଯେ ଯେତେବେଳେ ଜଷ୍ଟିସ୍ ବର୍ମା ନିଜେ ତଦନ୍ତ କମିଟିର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ, ସେ ଏବେ ଏହାର ବୈଧତା ଉପରେ କିପରି ପ୍ରଶ୍ନ ଉଠାଇପାରିବେ।

ସୂଚନାଯୋଗ୍ୟ, ୧୪ ମାର୍ଚ୍ଚ ୨୦୨୫ ରାତିରେ, ଦିଲ୍ଲୀର ତୁଘଲକ ରୋଡରେ ଥିବା ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାର ଷ୍ଟୋର ରୁମରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଜଷ୍ଟିସ୍ ବର୍ମା ସହର ବାହାରେ ଥିଲେ। ଯେତେବେଳେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଦଳ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ବସ୍ତାରେ ଭର୍ତ୍ତି ପୋଡ଼ା ଏବଂ ଅଧା ପୋଡ଼ା ୫୦୦ ଟଙ୍କାର ନୋଟ ଗଦା ହୋଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣା ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଥିଲା। ମାମଲାର ଗମ୍ଭୀରତାକୁ ବିଚାର କରି, ତତ୍କାଳୀନ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ସ୍ୱତଃ ତଦନ୍ତ କରିଥିଲେ ଏବଂ ଆଭ୍ୟନ୍ତରୀଣ ତଦନ୍ତ ପାଇଁ ତିନି ଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ।












Click it and Unblock the Notifications