ବନ୍ଦ ରହିବ ଶମ୍ଭୁ ବର୍ଡର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆନ୍ଦୋଳନରେ ବାହାରିଥିବା ଚାଷୀଙ୍କୁ ଆଜି ପୁଲିସ ଶମ୍ଭୁ ସୀମାରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ଅଟକାଇଥିବା ବେଳେ ଚାଷୀମାନେ ଦିନକ ପାଇଁ ଯାତ୍ରା ସ୍ଥଗିତ ରଖିଛନ୍ତି। ଚାଷୀ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ନାରାକୁ ଝଟକା। ଦିଲ୍ଲୀ-ହରିୟାଣାକୁ ଯୋଡୁଥିବା ଶମ୍ଭୁ ବର୍ଡର ଏବେ ଆଉ ଖୋଲିବନି। ସର୍ବୋଚ୍ଚ ଅଦାଲତ ଏହାକୁ ଖୋଲିବା ନେଇ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଏହା ସହ ବର୍ତ୍ତମାନ ମାମଲା ଉପରେ ଚର୍ଚ୍ଚା କରିବାକୁ ମଧ୍ୟ ମନା କରିଛନ୍ତି।
ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବରୁ ମାମଲାର ଆବେଦନ ପଡି ରହିଛି, ତେଣୁ ନୂତନ ଭାବରେ କିଛି ଚର୍ଚ୍ଚା ହେବନି। ପଞ୍ଜାବ ନିବାସୀ ଗୌରବ ଲୁଥେରାଙ୍କ ପକ୍ଷରୁ ଏହି ଆବେଦନ ହୋଇଥିଲା। ଗୌରବ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବାର ନିର୍ଦେଶ ଦେବାର ଦାବି କରିଥିଲେ। ହେଲେ ତାହା ସୁପ୍ରିମକୋର୍ଟରେ ଖାରଜ ହୋଇଛି।
ଚାଷୀମାନେ ଯେଉଁ ଉପାୟରେ ରାଜପଥ ଅବରୋଧ କରୁଛନ୍ତି ତାହା ଲୋକଙ୍କ ମୌଳିକ ଅଧିକାର ବିରୋଧୀ ବୋଲି ପିଟିସନରେ ଦର୍ଶାଯାଇଛି। ଏହା ଜାତୀୟ ରାଜପଥ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁଯାୟୀ ମଧ୍ୟ ଏକ ଅପରାଧ ଅଟେ। ଏଭଳି ପରିସ୍ଥିତିରେ ରାଜପଥ ଅବରୋଧ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବାକୁ ଆବେଦନରେ ଦର୍ଶାଯାଇଛି।

ଅନ୍ୟପକ୍ଷରେ ଆନ୍ଦୋଳନରତ କୃଷକମାନେ ଯେପରି କୌଣସି ଜାତୀୟ ରାଜପଥ ଓ ରେଳ ଧାରଣା ଅବରୋଧ ନ କରନ୍ତି ତାହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାପାଇଁ ସରକାରଙ୍କ ଉପରେ ମଧ୍ୟ ଚାପ ବଢ଼ୁଛି। ପୂର୍ବରୁ ଚାଷୀ ଆନ୍ଦୋଳନ ସମୟରେ ସୃଷ୍ଟି ହୋଇଥିବା ଭୀଷଣ ଅନର୍ଥକୁ ଦୃଷ୍ଟିରେ ରଖି ସରକାର ଦିଲ୍ଲୀ ସୀମାରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି।












Click it and Unblock the Notifications