କେଜ୍ରିୱାଲଙ୍କୁ ସିବିଆଇ ଗିରଫ ଉପରେ ସୁନୀତାଙ୍କ ପ୍ରତିକ୍ରିୟା, କହିଲେ .....
ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି । ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ । କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।
ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି । ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିନେଇଛି ସିବିଆଇ । ତେବେ ଏପରିସ୍ଥିତିରେ ସୁପ୍ରିମକୋର୍ଟ ଯଦି କେଜ୍ରିୱାଲଙ୍କୁ ଜାମିନ ଦିଅନ୍ତି, ତଥାପି ସେ ଜେଲରେ ରହିବେ । ବର୍ତ୍ତମାନ ଜେଲରେ ରହିବା ଘଟଣା ଉପରେ ମୁହଁ ଖୋଲିଛନ୍ତି ପତ୍ନୀ ସୁନୀତା ।

ସୁନୀତା କେଜ୍ରିୱାଲ କହିଛନ୍ତି ଯେ ଏହା ଏକ ଆଇନ ନୁହେଁ । ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରୀକାଳୀନ ପରିସ୍ଥିତି । ନିଜ ସୋସିଆଲ ମିଡ଼ିଆରେ ସୁନୀତା ଲେଖିଛନ୍ତି ଯେ, ଜୁନ ୨୦ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଲା । ଏହା ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ ସଜାଇଦେଲା । ଆଜି ସିବିଆଇ ଗିରଫ କଲା । ପୁରା ଶାସକ ଦଳ ଲାଗିପଡିଛନ୍ତି ଯେ କେଜ୍ରିୱାଲ ଯେଭଳି ଜେଲ ବାହାରକୁ ଆସିପାରିବେ ନାହିଁ ।
ଏହା ଆଇନ ନୁହେଁ, ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରୀକାଳୀନ ପରିସ୍ଥିତି । ତିହାର ଜେଲରୁ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ଅନୁମତି ମାଗିଥିଲା । ଏକ୍ସାଇଜ ପଲିସି ମାମଲାରେ କେଜ୍ରିୱାଲ ଜେଲରେ ଅଛନ୍ତି । ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି । ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଛି ଯେ ସିଏମଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଛି ।












Click it and Unblock the Notifications