ୟୁଜିସିର କଡ଼ା ନିର୍ଦ୍ଦେଶ , ଟଙ୍କା ଫେରସ୍ତ ନ କଲେ ନିସ୍ତାର ନାହିଁ

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦ୍ଦେଶନାମାକୁ ପାଳନ କରୁନାହାନ୍ତି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଫି' ଫେରସ୍ତ ନିୟମ (ଫି ରିଫଣ୍ଡ୍‌ ପଲିସି)କୁ ପାଳନ କରୁ ନ ଥିବାରୁ ୟୁଜିସି ଉଦ୍‌ବେଗ ପ୍ରକାଶ କରିଛି। ତେଣୁ ଏଥର ନିୟମ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ସୋମବାର ପୁଣି ଚେତାଇ ଦେଇଛନ୍ତି।

UGC

କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଦ କଲେ ତୁରନ୍ତ ନାମଲେଖା ଫି' ଫେରସ୍ତ କରିବା ପାଇଁ ୟୁଜିସି ସ୍ବତନ୍ତ୍ର ନୀତି ଆଣିଥିଲା। ଏହାକୁ ପାଳନ କରିବା ପାଇଁ ୟୁଜିସି ପକ୍ଷରୁ ବାରମ୍ବାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି କରାଯାଇଛି। କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ପାଳନ କରୁ ନ ଥିବା ଅଭିଯୋଗ ଆସୁଛି। ସିଟ୍‌ ଛାଡ଼ିଲେ ମଧ୍ୟ ନାମଲେଖା ଫି' ଫେରସ୍ତ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି। ତେଣୁ ୟୁଜିସି ଏଣିକି ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ପଡ଼ିଲେ ଶିକ୍ଷାନୁଷ୍ଠାନର ମାନ୍ୟତା, ସ୍ବୟଂଶାସିତ ମାନ୍ୟତା, ନୂଆ ନାମଲେଖା ପାଇଁ ଆବେଦନକୁ ଗ୍ରହଣ ନ କରିବା, ସାଧାରଣ ଲୋକଙ୍କୁ ଅବଗତ ନିମନ୍ତେ ଖବରକାଗଜ କିମ୍ବା କୌଣସି ଉପଯୁକ୍ତ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିବା, ଆୟୋଗର ଓ୍ବେବ୍‌ସାଇଟ୍‌ରେ ଉକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ପୋଷ୍ଟ କରିବା କିମ୍ବା ଆୟୋଗ କ୍ଷମତା ଭିତରେ ଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ୟୁଜିସିର ଫି' ଫେରସ୍ତ ପଲିସି ଅନୁସାରେ, ନାମ ଲେଖାଇଥିବା ଛାତ୍ରୀଛାତ୍ର ସେପ୍ଟେମ୍ବର ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ ସେମାନଙ୍କୁ ଶତ ପ୍ରତିଶତ ଫି' ଫେରସ୍ତ କରାଯିବ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଆବେଦନ କଲେ ପ୍ରୋସେସିଂ ଫି' ବାବଦକୁ ସର୍ବାଧିକ ହଜାରେ ଟଙ୍କା କାଟି ଫେରସ୍ତ କରାଯିବ। ଏହାଠାରୁ ଅଧିକ ଟଙ୍କା କାଟିପାରିବେ ନାହିଁ। ସେହିପରି ଅକ୍ଟୋବର ପରେ ନାମଲେଖା ସୂଚୀ ଥିଲେ ତଦନୁଯାୟୀ ଫି' ଫେରସ୍ତ କରାଯିବ। ଅର୍ଥାତ୍‌ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଥିବା ନାମଲେଖା ଶେଷ ତାରିଖର ୧୫ଦିନ ପୂର୍ବରୁ ସିଟ୍‌ ଛାଡ଼ିଲେ ସମ୍ପୂର୍ଣ୍ଣ ଫି' ଫେରିପାଇବେ ଛାତ୍ରୀଛାତ୍ର। ଶେଷ ତାରିଖ ୧୫ରୁ କମ୍‌ ଦିନ ଥିଲେ ୯୦ ପ୍ରତିଶତ ଫି' ଫେରସ୍ତ କରାଯିବ।

ସେହିପରି ନାମଲେଖା ଅବଧି ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ପ୍ରତିଶତ ଓ ୧୫ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଫି' ଫେରସ୍ତ ହେବ। ମାସେ ବା ୩୦ ଦିନ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଦ ପାଇଁ ଆବେଦନ କଲେ କୌଣସି ଫି' ଫେରସ୍ତ ହେବ ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଛି। ୟୁଜିସି ଅଧୀନରେ ଥିବା କେନ୍ଦ୍ରୀୟ ବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବେ। ନିୟମର ଖିଲାପ କଲେ ମାନ୍ୟତା ରଦ୍ଦ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚେତାବନୀ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+