କେରଳରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ଼
ଥିରୁଅନନ୍ତପୁରମ:କେରଳରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ଼ । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ଼ ହୋଇଛି । ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ମଧ୍ୟ ଦେଇ ଟ୍ରେନଟି ଯାଉଥିବା ବେଳେ କିଛି ଦୁର୍ବୃତ୍ତମାନେ ପଥରମାଡ଼ କରିଥିଲେ ।
ଏହି ପଥର ମାଡ଼ ଯୋଗୁଁ ଟ୍ରେନର କିଛି କୋଚର କାଚ ଭାଙ୍ଗି ଯାଇଛି । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏନେଇ ଦକ୍ଷିଣ ମଧ୍ୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇସାରିଛି । ଗତ ଏପ୍ରିଲ ୨ ତାରିଖରେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମଠାରେ ଏହି ଅତ୍ୟାଧୁନିକ ଟ୍ରେନକୁ ପଥର ମାଡ଼ ହୋଇଥିଲା । ଯାହାକି ୩ ମାସ ମଧ୍ୟରେ ତୃତୀୟ ନମ୍ବର ଘଟଣା ଥିଲା । ଯାହା ଦ୍ୱାରା ଟ୍ରେନର କାଚ ଭାଙ୍ଗି ଯାଇଥିବା ନେଇ ସୂଚନା ରହିଥିଲା ।
ସେହିପରି ସିକନ୍ଦରାବାଦରୁ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରେ ଖମାମ୍ ଓ ବିଜୟୱାଡା ମଧ୍ୟରେ ହୋଇଥିଲା ପଥର ମାଡ଼ । ପଥର ମାଡ଼ରେ ମାଇସୋର-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଦୁଇଟି ଝରକା ଭାଙ୍ଗି ଯାଇଥିଲା । SWUR ଅନୁଯାୟୀ, ଜାନୁଆରୀରେ ବେଙ୍ଗାଲୁରୁ ବିଭାଗରେ ମୋଟ ୨୧ ଟି ଏବଂ ଫେବୃଆରୀରେ ୧୩ଟି ପଥର ଫିଙ୍ଗିବା ମାମଲା ରୁଜୁ ହୋଇଥିଲା ।

ସୂଚନାଥାଉ ଯେ, ଗତ ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି କେରଳକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଭେଟି ଦେଇଥିଲେ । ଥିରୁଅନନ୍ତପୁରମ ସେଣ୍ଟ୍ରାଲ ଷ୍ଟେସନଠାରେ ମୋଦି ଏହି ଅତ୍ୟାଧୁନିକ ଟ୍ରେନର ଉଦଘାଟନ କରିଥିଲେ । ତେବେ ଉଦଘାଟନର ମାତ୍ର କିଛି ଦିନ ପରେ ହିଁ ଟ୍ରେନ ଉପରକୁ ହୋଇଛି ପଥର ମାଡ଼ । ତେବେ ଟ୍ରେନଟି କାସରଗୋଡରୁ ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରିବା ବେଳେ ଆକ୍ରମଣ ହୋଇଥିଲା । ଏହି ପଥର ମାଡ଼ ଘଟଣାରେ କେହି ଆହତ ହୋଇନଥିବା ନେଇ ସୂଚନା ରହିଛି ।












Click it and Unblock the Notifications