ଲୋକଙ୍କୁ ଶସ୍ତା ଚିକିତ୍ସା ସୁବିଧା ଦେବାରେ ରାଜ୍ୟ ବିଫଳ :ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରୋଗୀ ସେବା କ୍ଷେତ୍ରର ବିଭିନ୍ନ ଦିଗରେ ଦୃଢ଼ ନୀତି ନିୟମ ଲାଗୁ କରି ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ଫଳରେ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଲୁଟି ଚାଲିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ବିଶେଷକରି ଘରୋଇ ହସ୍ପିଟାଲଗୁଡିକରେ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ରୋଗୀମାନଙ୍କ ପାଇଁ ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି। ଘରୋଇ ହସ୍ପିଟାଲଗୁଡିକର କାରବାରକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ଅବସରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ କେ ସିଂ କହିଛନ୍ତି ଯେ, ଘରୋଇ ହସ୍ପିଟାଲ ପରିସରରେ ଔଷଧ ଏବଂ ଆନୁଷଙ୍ଗିକ ଉପକରଣ କିମ୍ବା ସରଞ୍ଜାମର ଚଢ଼ା ଦର ରୋଗୀମାନଙ୍କ ପାଇଁ କାଳ ହୋଇଛି। ବିଶେଷ କରି ଗରିବ ରୋଗୀମାନଙ୍କ ପାଇଁ ଏହା ଅପହଞ୍ଚ ହୋଇପଡ଼ୁଛି।
ପିଟିସନ୍ରେ କୁହାଯାଇଥିଲା ଯେ ରାଜ୍ୟଗୁଡ଼ିକର ଅଧିକାଂଶ ସରକାରୀ ଚିକିତ୍ସାଳୟରେ ଶସ୍ତାରେ ଚିକିତ୍ସା ସେବା ମିଳୁନାହିଁ । ଘରୋଇ ହସ୍ପିଟାଲରେ ରୋଗୀ ଓ ସେମାନଙ୍କ ପରିବାରକୁ ମହଙ୍ଗା ଔଷଧ ଓ ମେଡିକାଲ ଉପକରଣ କିଣିବାକୁ ବାଧ୍ୟ କରାଯାଉଛି । ସମ୍ପୃକ୍ତ ହସ୍ପିଟାଲର ଫାର୍ମାସିରୁ ହିଁ ଏହି ମହଙ୍ଗା ଔଷଧ ଖରିଦ କରିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେଣୁ ଏହିସବୁ ହସ୍ପିଟାଲଗୁଡ଼ିକୁ ତାଗିଦ୍ କରାଯିବା ଆବଶ୍ୟକ । ଏହାକୁ ରୋକିବା ଲାଗି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଦେଶ ଦିଆଯିବା ଉଚିତ । ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଏନ୍ କେ ସିଂହଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରୁଥିଲେ ।
ଏହି ସମୟରେ କେନ୍ଦ୍ର ନିଜ ଜବାବରେ କହିଥିଲା କି ରୋଗୀମାନଙ୍କୁ ହସ୍ପିଟାଲ୍ର ଫାର୍ମାସିରୁ ଔଷଧ କିଣିବାକୁ ବାଧ୍ୟ କରାଯାଉ ନାହିଁ । ଏହା ଉପରେ କୋର୍ଟ ରାଜ୍ୟ ସରକାର ନିଜ ହସ୍ପିଟାଲଗୁଡ଼ିକରେ ଔଷଧ ଓ ମେଡିକାଲ ଉପକରଣ ଆଦି ଶସ୍ତାରେ ଉପଲବ୍ଧ କରାଇବା ଜରୁରି ବୋଲି କହିଥିଲେ । ଯାହାଦ୍ୱାରା ରୋଗୀମାନେ ଶୋଷଣର ଶିକାର ହେବେନାହିଁ ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ନିଜ ଲୋକମାନଙ୍କୁ କିଭଳି ଯଥୋଚିତ ସ୍ୱାସ୍ଥ୍ୟସେବା ସୁବିଧା ମିଳିବ, ସେଥିପାଇଁ ବ୍ୟବସ୍ଥା କରିବା ରାଜ୍ୟଗୁଡ଼ିକର ଦାୟିତ୍ୱ । କିଛି ରାଜ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି । ଏହି କାରଣରୁ ଘରୋଇ ହସ୍ପିଟାଲଗୁଡ଼ିକର ମନମୁଖି ବୃଦ୍ଧି ପାଇଛି ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି, ଆବେଦନକାରୀଙ୍କ ସହ ଆମେ ଏକମତ ଅଛୁ । କିନ୍ତୁ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ, ତାହା ଚିନ୍ତାର ବିଷୟ । ତେବେ ନିଜ ଫାର୍ମାସିରୁ ଆପେକ୍ଷିକ ଅଧିକ ଦାମରେ ଔଷଧ କିଣିବାକୁ ରୋଗୀଙ୍କୁ ବାଧ୍ୟ କରୁଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ନିୟନ୍ତ୍ରଣ ଲାଗି ଅଦାଲତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ମାର୍ଗଦର୍ଶିକା ଆଣିବା ଲାଗି ପରାମର୍ଶ ଦେଇଛନ୍ତି ।
ଏହାଦ୍ୱାରା ଘରୋଇ ହସ୍ପିଟାଲଗୁଡ଼ିକରେ ସାଧାରଣ ଲୋକଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡ଼ିବ ନାହିଁ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟଗୁଡ଼ିକୁ ନୋଟିସ ଜାରି କରିଥିଲେ । ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ବିହାର, ତାମିଲନାଡୁ, ହିମାଚଳ ପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟ ନିଜ ଜବାବ ଦାଖଲ କରିଥିଲେ । ଔଷଧର ଦାମକୁ ନେଇ ରାଜ୍ୟଗୁଡ଼ିକ କହିଥିଲେ କି ସେମାନେ କେନ୍ଦ୍ର ସରକାରଙ୍କ ଦର ନିୟନ୍ତ୍ରଣ ଉପରେ ନିର୍ଭରଶୀଳ । କେଉଁ ଔଷଧର ଦାମ କ'ଣ ହେବ, ତାହା କେନ୍ଦ୍ର ହିଁ ଧାର୍ଯ୍ୟ କରିଥାଏ।












Click it and Unblock the Notifications