ବଜେଟ୍ରେ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି; ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସମାବେଶୀ ବିକାଶକୁ ସୁନିଶ୍ଚିତ କରି ଏକ ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟସଭାରେ ଆଜି କେନ୍ଦ୍ର ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖାଯାଇ ଉଚ୍ଚ ଅଭିବୃଦ୍ଧି ହାରକୁ ବଜାୟ ରଖାଯାଇପାରିଛି ।
ଚଳିତ ଆର୍ଥିକ ବର୍ଷରେ ଦେଶର ଜି.ଡି.ପି. ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଆକଳନ କରିଛି । ମୁଦ୍ରାସ୍ଫୀତି ୨ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ଅର୍ଥନୈତିକ ଦୃଢ଼ ଅଭିବୃଦ୍ଧିକୁ ଏହା ପ୍ରତିଫଳିତ କରୁଛି । ଅର୍ଥମନ୍ତ୍ରୀ କହିଛନ୍ତି, ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରାଯାଇଛି । ମାନବ ସମ୍ବଳ ବିକାଶକୁ ପ୍ରାଥମିକତା ପ୍ରଦାନ କରାଯିବା ସହ ଆଗାମୀ ବର୍ଷଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ବଜେଟ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଅର୍ଥମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କଲ୍ୟାଣକାରୀ ଯୋଜନାପାଇଁ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି ।












Click it and Unblock the Notifications