Shubhranshu Shukla's Space Mission: ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ ଘୁଞ୍ଚିଲା; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ
ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଏକ୍ସିଅମ୍-୪। ଜୁନ୍ ୮ ପରିବର୍ତ୍ତେ ଜୁନ୍ ୧୦ରେ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟ ସନ୍ଧ୍ୟା ୫ଟା ୫୨ରେ ହେବ ଲଞ୍ଚିଂ ।
ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ମହାକାଶକୁ ଯିବେ ଶୁଭାଂଶୁ। ତାଙ୍କ ପୂର୍ବରୁ ୧୯୮୪ରେ ରାକେଶ ଶର୍ମା ମହାକାଶକୁ ଯାଇଥିଲେ। ତେବେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯିବେ ଶୁଭାଂଶୁ ଶୁକ୍ଳା। ଇସ୍ରୋର ମିଶନ୍ ଗଗନଯାନ ପାଇଁ ସାଉଁଟିବେ ବହୁମୂଲ୍ୟ ଅଭିଜ୍ଞତା।

ଗତକାଲି ସେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ଏହି ମିଶନର ସଫଳତା ପାଇଁ ସବୁ ଭାରତୀୟଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି। ଏହା ସହ ସେ ନିଜ ସହ ଜିରୋ ଗ୍ରାଭିଟି ଇଣ୍ଡିକେଟର୍ ଭାବେ ମାଆ ସରସ୍ବତୀଙ୍କ ବାହନ ହଂସକୁ ସାଥିରେ ମହାକାଶକୁ ନେଇ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏଥିସହ ମହାକାଶକୁ ଭାରତୀୟ ଖାଦ୍ୟ ଭାବେ ମୁଗ ଡାଲି ହାଲୁଆ, ଗାଜର ହାଲୁଆ ଓ ଆମ୍ବ ଜୁସ୍ ନେଇ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି।ମହାକାଶକୁ ଯିବା ପୂର୍ବରୁ ଏବେ କ୍ବାରେଣ୍ଟିନରେ ଅଛନ୍ତି ଶୁଭାଂଶୁ। ମେ ୨୫ ତାରିଖରୁ କେନେଡି ସ୍ପେସ ସେଣ୍ଟରରେ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟିନରେ ଅଛନ୍ତି। ମହାକାଶକୁ ଯିବା ପୂର୍ବରୁ କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ନ ହେବା ଓ ରୋଗ ମୁକ୍ତ ହେବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷାର ଏହା ଏକ ପ୍ରୋଟୋକଲ। କାରଣ ମହାକାଶକୁ ଯିବା ପରେ ସଂକ୍ରାମକ ରୋଗ ବ୍ୟାପିଲେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ବିପଦରେ ପକାଇପାରେ। ଏହି ସମୟ ମଧ୍ୟରେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ପରିଷ୍କାର ପରିଚ୍ଛନତା ଅବଲମ୍ବନ କରିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ଏହା ସହ ବାହାର ଲୋକଙ୍କୁ ଭେଟିବାରେ କଟକଣା ଲଗା ଯାଇଥାଏ।












Click it and Unblock the Notifications