ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ , ପଚାରିଲେ.....
ନାସାର ଅକ୍ସିଅମ-୪ ଅଭିଯାନରେ ମହାକାଶ ଯାତ୍ରା କରିଥିବା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଶୁଭାଂଶୁଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆଜି ଆପଣ ଭାରତଭୂମିଠାରୁ ଦୂରରେ ଅଛନ୍ତି, କିନ୍ତୁ ଭାରତବାସୀଙ୍କର ଅତି ନିକଟରେ ରହିଛନ୍ତି। ଆପଣଙ୍କା ନାମରେ ବି ଶୁଭ ରହିଛି। ଏହି ସମୟରେ ଆମେ ଦୁଇଜଣ କଥା ହେଉଛେ, ମାତ୍ର ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବନା ଜୋଡ଼ି ହୋଇରହିଛି। ମୋ ଶବ୍ଦରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଏବଂ ଉଦ୍ଦୀପନା ସାମିଲ ରହିଛି। ଏହି ଅବସରରେ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେଠାରେ ସବୁ ଠିକଠାକ ଅଛି କି ବୋଲି ପଚାରିଥିଲେ।
ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇ କହିଛନ୍ତି, ସବୁ ଠିକଠାକ ଅଛି। ସେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଏବଂ ଭଲପାଇବା ଯୋଗୁ ତାଙ୍କୁ ଭଲ ଲାଗୁଛି। ଏହି ଯାତ୍ରାରେ ସେ ଦେଶକୁ ପ୍ରତିନିଧିତ୍ଵ କରୁଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଆପଣ ସାଥୀରେ ଯେଉଁ ଗାଜର ହାଲଓ୍ବା ନେଇଥିଲେ ତାହାକୁ ନିଜ ସାଥୀମାନଙ୍କୁ ଖୁଆଇଛନ୍ତି ତ ବୋଲି ପ୍ରଧାନମନ୍ତ୍ରୀ ମଜାଳିଆ ଢଙ୍ଗରେ ଶୁଭାଂଶୁଙ୍କୁ ପଚାରିଥିଲେ।

ଆମେରିକାର ଚାରି ସଦସ୍ୟ ବିଶିଷ୍ଟ ବହୁ-ଦେଶୀୟ କ୍ରୁ ସହିତ ଆକ୍ସିଅମ୍ ମହାକାଶ ଯାତ୍ରା କରିଛି। ଶୁଭାଂଶୁଙ୍କ ସହିତ ଏହି ମିଶନରେ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରିର ଟୋବୋର କାପୁ ଏବଂ ମିଶନ କମାଣ୍ଡର ପେଗି ହ୍ୱିଟସନ ମଧ୍ୟ ରହିଛନ୍ତି।ଆକ୍ସିଅମ-୪ ମିଶନର ଏହି ଟିମ୍ ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରିଥିଲା। ଏହି ଦଳ ସେଠାରେ ଦୁଇ ସପ୍ତାହ ପାଇଁ ବୈଜ୍ଞାନିକ ପରୀକ୍ଷଣ କରିବ। ଏହା ପୂର୍ବରୁ ୧୯୮୪ ମସିହାରେ, ୱିଙ୍ଗ କମାଣ୍ଡର ରାକେଶ ଶର୍ମା ସୋଭିଏତ୍ ୟୁନିଅନ୍ ମିଶନ ଅଧୀନରେ ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ହୋଇଥିଲେ।
ଶୁଭାଂଶୁ ୨୦୦୬ ମସିହାରେ ଭାରତୀୟ ବାୟୁସେନାରେ ଜଣେ ଫାଇଟର ପାଇଲଟ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୧୯ ମସିହାରେ ତାଙ୍କୁ ଗଗନଯାନ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ, ସେ ରୁଷର ୟୁରୀ ଗାଗାରିନ୍ କସମୋନଟ୍ କେନ୍ଦ୍ରରେ ତାଲିମ ନେଇଥିଲେ। ଏହା ପରେ, ୨୦୨୫ରେ ସେ ସ୍ପେସଏକ୍ସରେ ତାଙ୍କର ତାଲିମ ସମାପ୍ତ କରିଥିଲେ।












Click it and Unblock the Notifications