ପାକିସ୍ତାନୀ ନେତାଙ୍କୁ କଡା ଜବାବ ଦେଲେ ଥରୁର୍, କହିଲେ ରକ୍ତ ବୋହିଲେ......
ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, 'ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ ପ୍ୟାଟର୍ନ ଅଛି।' ଲୋକମାନଙ୍କୁ ସୀମା ଆରପାରିରୁ ଉତ୍ସାହିତ କରାଯାଇଥାଏ, ତାଲିମ ଦିଆଯାଇଥାଏ, ଅସ୍ତ୍ରଶସ୍ତ୍ର ଦିଆଯାଇଥାଏ ଏବଂ ପ୍ରାୟତଃ ନିର୍ଦ୍ଦେଶିତ କରାଯାଏ।ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଏହା ପରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ।
ଶନିବାର ଏହାକୁ ବିରୋଧ କରି ବିଲାୱଲ କହିଥିଲେ ଯେ, "ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ, ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ। ଭାରତ ସିନ୍ଧୁ ଉପରେ ଆକ୍ରମଣ କରିଛି। ଭାରତର ଜନସଂଖ୍ୟା ଆମଠାରୁ ଅଧିକ ହୋଇପାରେ, କିନ୍ତୁ ପାକିସ୍ତାନର ଲୋକମାନେ ସାହସୀ। ଆମେ ସୀମାରେ ଏବଂ ପାକିସ୍ତାନରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ୍ ଜବାବ ଦେବ।"
ଏହାର ଜବାବରେ ଥରୁର କହିଛନ୍ତି, "ପାକିସ୍ତାନ ବିରୋଧରେ ଆମର କୌଣସି ଆକ୍ରମଣାତ୍ମକ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଯଦି ସେମାନେ କିଛି କରନ୍ତି, ତେବେ ସେମାନଙ୍କୁ ଉଚିତ୍ ଜବାବ ମିଳିବ। ଯଦି ରକ୍ତପାତ ହୁଏ, ତେବେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ।" ଥରୁର ଦର୍ଶାଇଥିଲେ ଯେ ୨୦୧୬ ଉରି ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ପାକିସ୍ତାନ ଏଥର ଭାରତଠାରୁ କଡ଼ା ଜବାବର ସମ୍ମୁଖୀନ ହୋଇପାରେ ବୋଲି ପରାମର୍ଶ ଦେଇଥିଲେ।

ତିରୁବଭାନନ୍ତପୁରମ ଏମପି ଆହୁରି କହିଛନ୍ତି, ଉରି ପରେ, ସରକାର ସୀମାପାର ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ଏବଂ ପୁଲୱାମା ପରେ, ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲେ। ଆଜି, ମୁଁ ଭାବୁଛି ଆମେ ସେଥିରୁ ବହୁତ କିଛି ଦେଖିବାକୁ ଯାଉଛୁ। ଏହା ସ୍ପଷ୍ଟ ଯେ ଆମ ପାଖରେ ଅନେକ ବିକଳ୍ପ ଅଛି, କୂଟନୈତିକ, ଅର୍ଥନୈତିକ, ଗୁପ୍ତଚର ଆଦାନପ୍ରଦାନ, ଗୁପ୍ତ ଏବଂ ପ୍ରକାଶ୍ୟ କାର୍ଯ୍ୟାନୁଷ୍ଠାନ। କିଛି ପ୍ରକାରର ସ୍ପଷ୍ଟ ସାମରିକ ପ୍ରତିକ୍ରିୟା ଅନିବାର୍ଯ୍ୟ।
ଥରୁର ଆହୁରି କହିଛନ୍ତି, ଦେଶ ଏହା ଦାବି କରୁଛି ଏବଂ ଆଶା କରୁଛି। ଏହା କ'ଣ ହେବ, କେଉଁଠି ହେବ, କିମ୍ବା କେବେ ହେବ ତାହା କେହି ଜାଣନ୍ତି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଯେ କିଛି ପ୍ରତିକ୍ରିୟା ମିଳିବ।












Click it and Unblock the Notifications