କୋଲକାତାରେ ପୁଣି ଲଜ୍ଜା; କ୍ୟାମ୍ପସରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
କୋଲକତାରେ ପୁଣି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କୋଲକତା ଆଇଆଇଏମରେ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ପ୍ରାରମ୍ଭିକ ଯାଞ୍ଚ କରୁଛି । ଏହି ମାମଲାରେ ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ।

ଖବର ମୁତାବକ, କୋଲକତା ଆଇଆଇଏମର ବିଜନେସ ସ୍କୁଲର ଏକ ହଷ୍ଟେଲରେ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ କାଉନସିଲ ସେସନ ଆଟେଣ୍ଡ କରିବା ପାଇଁ ହଷ୍ଟେଲକୁ ଡକାଯାଇଥିଲା । ଏହାପରେ ନିଶାଦ୍ରବ୍ୟ ପିଆଇ ବେହୋସ କରାଯାଇଥିଲା । ଏହାପରେ ଦୁଷ୍କର୍ମ କରାଯାଇଥିଲା । ଘଟଣା ବିଷୟରେ କାହାକୁ କହିଲେ ପରିଣାମ ଗମ୍ଭୀର ହେବ ବୋଲି ଧମକ ଦିଆଯାଇଥିଲା ।
କିଛିଦିନ ପୂର୍ବରୁ କୋଲକତାର ଏକ ଲ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ଦୁଷ୍କର୍ମ କରାଯାଇଥିଲା । ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଏଯାଏଁ ଯାଞ୍ଚ ଚାଲିଛି ।
ସୂଚନାଯୋଗ୍ୟ, ଗତବର୍ଷ କୋଲକତା ଆରଜିକର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଗତବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ । ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ ।












Click it and Unblock the Notifications