ଦୀର୍ଘ 74 ବର୍ଷ ପରେ ହେଲା ଦୁଇଭାଇଙ୍କ ମିଳନ: ଭାରତ ପାକିସ୍ତାନ ବିଭାଜନ ବେଳେ ହୋଇଥିଲେ ପରସ୍ପର ଠାରୁ ଅଲଗା
ନୂଆଦିଲ୍ଲୀ: 1947 ମସିହାରେ ଯେତେବେଳେ ଭାରତ-ପାକିସ୍ତାନ ବିଭାଜନ ହୋଇଥିଲା, ସେତେବେଳକୁ ଛୋଟ ପିଲା ଥିଲେ ମହମ୍ମଦ ସିଦ୍ଦିକ । ତାଙ୍କ ବଡଭାଇ ହବିବ ସିଦ୍ଦିକ ରହିଲେ ଭାରତର ପଞ୍ଜାବରେ । ମହମ୍ମଦ ରହିଲେ ପାକିସ୍ତାନ ପଟେ। ଏବେ 74 ବର୍ଷ ପରେ କରତାରପୁର କରିଡୋର ସହ ପାକିସ୍ତାନ ଗୁରୁଦ୍ଵାର ଦରବାର ସାହିବ ସଂଯୋଗ ହେବା ପରେ ମିଳନ ହୋଇଛି ଦୁଇଭାଇଙ୍କ । ତେବେ ଦୁଇ ଭାଇଙ୍କ 74 ବର୍ଷ ପରେ ଏହି ମିଳନର ପର୍ବ ଆନନ୍ଦର ଅଶ୍ରୁ ଆଣିଦେଇଛି ଅନେକଙ୍କ ପାଇଁ । କରତାରପୁର କରିଡୋର ଯୋଗୁ ଏହି ଦୁଇଭାଇଙ୍କ ଘଟିଛି ହୃଦୟସ୍ପର୍ଶୀ ମିଳନ ।

ଦୀର୍ଘ ସାତ ଦଶନ୍ଧି ପରେ ହୋଇଥିବା ମିଳନର ମୂହୁର୍ତ୍ତ ଏତେ ହୃଦୟସ୍ପର୍ଶୀ ଥିଲା ଯେ, ଉଭୟ ପାକିସ୍ତାନ ଏବଂ ଭାରତର ନାଗରିକମାନେ ଏହାକୁ ଦେଖି ନିଜର ଭାବ ବିହ୍ଵଳ ଭାବରେ ବ୍ୟକ୍ତ କରିଛନ୍ତି ନିଜର ଆବେଗକୁ । ଦୁଇ ଭାଇଙ୍କ ମିଳନ କାର୍ଯ୍ୟକ୍ରମର ଭିଡିଓ କ୍ଲିପ ଏବେ ସାମାଜିକ ଗଣମାଧ୍ୟମରେ ହୋଇଛି ଭାଇରାଲ । ଭିଡିଓରେ ଦେଖା ଯାଉଛି ଯେ, ଦୁଇ ଭାଇ 74 ବର୍ଷ ପରେ ଭେଟିବା ପରେ ପରସ୍ପରକୁ ଆଲିଙ୍ଗନ କରି କାନ୍ଦୁଛନ୍ତି। ଦୁଇ ଭାଇ ଆଲିଙ୍ଗନ ପରେ ଆଖିରୁ ବାରମ୍ବାର ଲୁହ ପୋଛିବା ଦେଖାଯାଉଛି। ମହମ୍ମଦ ସିଦ୍ଦିକ ପାକିସ୍ତାନର ଫଇସଲାବାଦରେ ରହୁଛନ୍ତି। ଏହି ମିଳନ ଯୋଗୁ ଦୁଇ ଭାଇ ନିଜ ନିଜ ଦେଶରେ ସରକାରଙ୍କୁ ଧନ୍ଯବାଦ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, 2019 ନଭେମ୍ବରରୁ କରତାରପୁର କୋରିଡୋର ଯୋଗୁ, ଭାରତ ପାକିସ୍ତାନ ମଧ୍ୟରେ କରତାରପୁର ପର୍ଯ୍ୟନ୍ତ ଯାତ୍ରା କରିବା ସୁବିଧା ମିଳୁଛି ଭିସା ଅନୁମତିରେ ।












Click it and Unblock the Notifications