ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ଲଢ଼ିବ ଆରଜେଡି
ପାଟନା: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି । ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟରେ ସିଟ ବାଣ୍ଟିବା ଶେଷ ହୋଇଛି। ଶୁକ୍ରବାର (୨୯ ମାର୍ଚ୍ଚ) ଆରଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ସୂଚନାନୁସାରେ, ବିହାରର ୪୯ଟି ସିଟ ମଧ୍ୟରୁ ୨୬ଟିରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବ । କଂଗ୍ରେସ ୯ ଏବଂ ବାମପନ୍ଥୀ ୫ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ । ଏହା ବ୍ୟତୀତ ଆରଜେଡି ଝାଡଖଣ୍ଡର ଦୁଇଟି ଆସନରେ ପ୍ରାର୍ଥୀ ଦେବ । ସୂଚନାନୁସାରେ, ଆରଜେଡି ଝାଡଖଣ୍ଡର ପାଲାମୁ ଏବଂ ଚତରାରୁ ନିର୍ବାଚନ ଲଢିବ । ଆରଜେଡି ନିଜ ସିଟ ମଧ୍ୟରେ ଔରଙ୍ଗାବାଦ, ମାଧେପୁରା, ଗୟା, ଜମୁଇ, ନୱାଡା, ସାରଣ, ପାଟଲିପୁତ୍ର, ବକ୍ସାର, ଉଜିଆରପୁର, ଜହାନାବାଦ, ଦରଭଙ୍ଗା, ବାଙ୍କା, ଅରାରିଆ, ମୁଙ୍ଗର, ସୀତାମାଢ଼ୀ ଏବଂ ଝଞ୍ଜାରପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବ ।

ଏହା ବ୍ୟତୀତ ଆରଜେଡି ପ୍ରାର୍ଥୀମାନେ ମଧ୍ୟ ମଧୁବାନୀ, ସିୱାନ୍, ହାଜିପୁର, ବାଲ୍ମୀକନଗର, ପୂର୍ବ ଚମ୍ପାରନ୍, ସିପୋଉଲି ଶିବହର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ଣ୍ଣିଆ ଆସନ ହରାଇବା ପରେ ପପୁ ଯାଦବ ମାଧେପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚର୍ଚ୍ଚା ହୋଇଥିଲା । ତେବେ ମାଧେପୁରା ଆସନ ମଧ୍ୟ ଆରଜେଡି ହାତକୁ ଯାଇଛି । ଏହି କାରଣରୁ ପପୁଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ମଧ୍ୟ ଦୃଢ ଥିବା ଜଣାପଡିଛି ।
ସୂଚନାନୁସାରେ, ବିହାରରେ କଂଗ୍ରେସ ଆକାଉଣ୍ଟକୁ ଆସିଥିବା ଆସନଗୁଡ଼ିକ ମଧ୍ୟରେ କାଟିହାର, କିଶନଗଞ୍ଜ, ପାଟନା ସାହିବ, ସାସାରାମ, ଭାଗଲପୁର, ବେତିୟା, ମୁଜାଫରପୁର, ସାମସ୍ତିପୁର ଏବଂ ମହାରାଜଗଞ୍ଜ ରହିଛି । ସେହିପରି ସିପିଆଇଏମ୍ଏଲ କରାକାଟ, ଆରା ଏବଂ ନାଲନ୍ଦା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବ ବେଳେ ସିପିଆଇ ବେଗୁସରାଇରୁ ପ୍ରାର୍ଥୀ ଏବଂ ସିପିଆଇଏମ ଖାଗଡିଆରୁ ପ୍ରାର୍ଥୀ ଦେବ ।












Click it and Unblock the Notifications