ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କଣ ରହିଛି ମାମଲା...
ପ୍ରୟାଗରାଜର ଲୁକେରଗଞ୍ଜସ୍ଥିତ ଏକ କମ୍ପାଉଣ୍ଡରେ ଉତ୍ତରପ୍ରଦେଶ ସରକାର ୨୦୨୧ରେ କରିଥିବା ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୁପ୍ରିମ୍କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ସୁପ୍ରିମ୍କୋର୍ଟ କହିଛନ୍ତି, ଧାରା ୨୧ ଏବଂ ଆଶ୍ରୟ ଅଧିକାର ନାଗରିକଙ୍କ ପାଇଁ ସୁରକ୍ଷିତ ରହିଛି ଏବଂ ଏହାର ଉଲ୍ଲଂଘନ ହୋଇପାରିବ ନାହିଁ।
ଉଚ୍ଛେଦ ପାଇଁ ରାଜ୍ୟ ସରକାର ଅନୁସରଣ କରୁଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଜଷ୍ଟିସ ଅଭୟ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏଭଳି କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଏବଂ ଭୁଲ୍ ସଙ୍କେତ ଦେଇଥାଏ। ଏଥିରେ ତୁରନ୍ତ ସୁଧାର ଜରୁରୀ ବୋଲି କୋର୍ଟ ଚେତାଇ ଦେଇଛନ୍ତି । ନୋଟିସ୍ର ଜବାବ ଦେବା ପାଇଁ ଆବେଦନକାରୀଙ୍କ ପାଖରେ ଯଥେଷ୍ଟ ସମୟ ଥିଲା ବୋଲି ଆଟର୍ଣ୍ଣି ଜେନେରାଲ ଯୁକ୍ତି ବାଢ଼ିଥିଲେ ମଧ୍ୟ ଅଦାଲତ ନୋଟିସ୍ ଦେବାର ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବଳପୂର୍ବକ ଉଚ୍ଛେଦକୁ ପ୍ରତିପାଦିତ କରୁଛି ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ମାର୍ଚ୍ଚ ୨୦୨୧ ରାୟ ବିରୋଧରେ ୫ ଜଣ ବ୍ୟକ୍ତି ସୁପ୍ରିମ୍କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ ସେମାନେ ବିବାଦୀୟ ଜମି ଉପରେ କୌଣସି ଅଧିକାର ସ୍ଥାପନ କରିବାରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ବୈଧ।
ତେବେ ନୋଟିସ୍ ଜାରି ହେବାର ଗୋଟିଏ ଦିନ ପରେ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିବାର ସୁଯୋଗ ନ ଦେଇ ଘର ଭାଙ୍ଗି ଦିଆଯାଇଥିଲା ବୋଲି ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ। ମାର୍ଚ୍ଚ ୨୧ରେ ସୁପ୍ରିମକୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି କରିବେ।












Click it and Unblock the Notifications