କର୍ଣ୍ଣେଲଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: ବଢ଼ିଲା ମନ୍ତ୍ରୀ ବିଜୟ ଶାହଙ୍କ ଅଡୁଆ, ତଦନ୍ତ ପାଇଁ SIT ଗଠନ
କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ 'ଆତଙ୍କବାଦୀଙ୍କ ଭଉଣୀ' ବୋଲି କହି ହଟହଟା ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କୁନୱର ବିଜୟ ଶାହ। ଏପରିକି ସୋମବାର ତାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ ମଧ୍ୟ କରିଦେଇଛନ୍ତି। କ୍ଷମାପ୍ରାର୍ଥନା ଅସ୍ବୀକାର କରିବା ସହ ତାଙ୍କ ମନ୍ତବ୍ୟରେ ଲଗାମ ଦେବାକୁ ନିର୍ଦ୍ଦେଶ ରହିଛି । ତେବେ ବିଜୟ ଶାହଙ୍କ ଗିରଫଦାରି ଉପରେ ରୋକ ଲଗାଇଛନ୍ତି । ଶାହାଙ୍କ ଓକିଲ କହିଛନ୍ତି ଯେ ମନ୍ତ୍ରୀ କ୍ଷମା ମାଗିଛନ୍ତି । ଯାହା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ ଏହା କି ପ୍ରକାରର କ୍ଷମା ପ୍ରାର୍ଥନା। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଜଣେ ପବ୍ଲିକ ଫିଗର, କଥା ହେବା ସମୟରେ ଆପଣଙ୍କ ଶବ୍ଦ ପ୍ରତି ସତର୍କ ରୁହନ୍ତୁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆମକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ, ଏହା ଅବମାନନା ନୁହେଁ । ଆମେ ଏହାକୁ ଆଇନ ଅନୁଯାୟୀ ପରିଚାଳନା କରିପାରିବୁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏକ SIT ଗଠନ କରୁଛୁ, SITରେ ରହିବେ ୩ ଆଇପିଏସ ଅଧିକାରୀ । ସେଥି ମଧ୍ୟରେ ଜଣେ ମହିଳା ଆଇପିଏସ ଅଧିକାରୀ ରହିବେ । କାଲି ସକାଳ ୧୦ଟା ସୁଦ୍ଧା SIT ଗଠନ ନିର୍ଦ୍ଦେଶ ରହିଛି । ମେ' ୨୮ ସୁଦ୍ଧା ପ୍ରଥମ ଷ୍ଟାଟସ ରିପୋର୍ଟ ଦାଖଲ କରିବ SIT ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶାହ ମହୁରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଆତଙ୍କବାଦୀମାନେ ଆମ ଭଉଣୀ ଓ ଝିଅମାନଙ୍କର ସିନ୍ଦୂର ପୋଛି ଦେଇଛନ୍ତି ଏବଂ ଆମେ ଏହାର ପ୍ରତିଶୋଧ ନେବା ପାଇଁ ସେମାନଙ୍କ ନିଜ ଭଉଣୀଙ୍କୁ ପଠାଇଛୁ ।
ସେମାନେ ହିନ୍ଦୁମାନଙ୍କୁ ଉଲ୍ଲଗ୍ନ କରି ହତ୍ୟା କରିଥିଲେ ଏବଂ ମୋଦୀଜୀ ସେମାନଙ୍କ ଭଉଣୀଙ୍କୁ ପଠାଇ ଜବାବ ଦେଇଛନ୍ତି । ଆମେ ସେମାନଙ୍କ ପୋଷାକ ବାହାର କରିପାରିଲୁ ନାହିଁ, ତେଣୁ ଆମେ ସେମାନଙ୍କ ସମ୍ପ୍ରଦାୟର ଏକ ଝିଅକୁ ପଠାଇଥିଲୁ ... ତୁମେ ଆମ ସମ୍ପ୍ରଦାୟର ଭଉଣୀମାନଙ୍କୁ ବିଧବା କଲ, ତେଣୁ ତୁମ ସମ୍ପ୍ରଦାୟର ଜଣେ ଭଉଣୀ ତୁମକୁ ଉଲଗ୍ନ କରିଦେବ ।












Click it and Unblock the Notifications