ବାଂଲାଦେଶ ହିଂସାକୁ ନେଇ ରାଜ୍ୟସଭାରେ ଏଭଳି ପ୍ରତିକ୍ରିୟା ଦେଲେ ଏସ୍ ଜୟଶଂକର , କହିଲେ...
ବାଂଲାଦେଶରେ ସରିଯାଇଛି ହାସିନା ଯୁଗ ! ସତ୍ତା ପଲଟ୍ ପରେ ସେନା ହାତରେ କ୍ଷମତା । ଖାଲି ପିଏମ୍ ପଦ ନୁହେଁ, ଦେଶ ବି ଛାଡ଼ିଦେଲେ ଶେଖ୍ ହାସିନା । ଅତି ଗୁପ୍ତ ଭାବେ ଦେଶ ଛାଡ଼ିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ହଜାର ହଜାର ଆନ୍ଦୋଳନକାରୀ ପିଏମ୍ ପ୍ୟାଲେସ 'ବଙ୍ଗଭବନ' ଆଡ଼କୁ ମାଡ଼ି ଆସିବା ପରେ, ଢାକାରେ ନିଜକୁ ଅସୁରକ୍ଷିତ ମନେ କରି ସେ ଦେଶ ଛାଡ଼ିଛନ୍ତି। ଗତକାଲି ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଥିଲେ।
ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଏହି ୭୬ ବର୍ଷୀୟା ନେତ୍ରୀ। ଦେଶ ଛାଡ଼ିବା ପୂର୍ବରୁ ଶେଖ୍ ହସିନା ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ବାର୍ତ୍ତା ରେକର୍ଡ କରିବାର ଥିଲା । କିନ୍ତୁ ସେତକ ବି କରିବାକୁ ଦେଇନଥିଲେ ଆନ୍ଦୋଳନକାରୀ ।

ଏହା ମଧ୍ୟରେ ଭାରତୀୟ ସଂସଦରେ ମଙ୍ଗଳବାର ବାଂଲାଦେଶକୁ ନେଇ ଝଡ଼ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି ବାଂଲାଦେଶରେ ୧୯ ହଜାର ଭାରତୀୟ ରହିଛନ୍ତି । ଏହାସହ ସେ ଢାକାର ସେନା ସହ ସମ୍ପର୍କରେ ଥିବା କଥା ମଧ୍ୟ ଜଣାଇଛନ୍ତି। ସେପଟେ ବାଂଲାଦେଶରେ ଫଶିଥିବା ଭାରତୀୟଙ୍କ ବାବଦରେ ଏମ୍ପି ମନୋଜ ଝା କହିଛନ୍ତି, ମୋର ପୁରା ବିଶ୍ୱାସ ରହିଛି ଆମ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଗତ କିଛି ସପ୍ତାହ ଧରି ବାଂଲାଦେଶରେ ଚାଲିଥିବା ହିଂସା ଉପରେ ନଜର ରଖିଛନ୍ତି । ତେଣୁ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମର୍ଥନ କରିବୁ ।












Click it and Unblock the Notifications