ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯୧ ଟଙ୍କା ପାର୍, ମହଙ୍ଗା ହେବ ବିଦେଶ ଭ୍ରମଣ
ଦିନକୁ ଦିନ ଅଧିକ ଦୁର୍ବଳ ହୋଇଚାଲିଛି

ଟଙ୍କା ଦୁର୍ବଳ ହେବା ଅର୍ଥ ଭାରତ ପାଇଁ ସାମଗ୍ରୀ ଆମଦାନି ମହଙ୍ଗା ହେବା । ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ବି ମହଙ୍ଗା ହୋଇଯାଇଛି । ଟଙ୍କା ଦୁର୍ବଳ ହେବା ଦ୍ୱାରା ରପ୍ତାନିକାରୀଙ୍କୁ ଅଧିକ ଫାଇଦା ହେବ । ପର୍ଯ୍ୟଟକଙ୍କ ପାଇଁ ଭାରତ ଶସ୍ତା ହେବ, ମେଡିକାଲ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଡଲାର ପଠାଇ ପ୍ରବାସୀ ଭାରତୀୟମାନେ ଅଧିକ ଟଙ୍କା ପାଇବେ । ଅନ୍ୟପକ୍ଷରେ, ଦରଦାମ ବଢ଼ିବ । ଅଶୋଧିତ ତୈଳ ଏବଂ ସୁନା ମହଙ୍ଗା ହେବ । ବିଦେଶରେ ପାଠପଢ଼ା ଏବଂ ବୁଲିବା ବ୍ୟୟବହୁଳ ହେବ । ଏହାସହିତ ବିଦେଶୀ ନିବେଶ କମିବ । ଟଙ୍କା ଦୁର୍ବଳ ହେବାର ଅନେକ କାରଣ ରହିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନି ଉପରେ ୫୦% ଟାରିଫ୍ ଲଗାଇଛନ୍ତି, ଯାହା ଭାରତର ଜିଡିପି ଅଭିବୃଦ୍ଧିକୁ ୬୦ରୁ୮୦ ବେସିସ୍ ପଏଣ୍ଟ କମାଇପାରେ ଏବଂ ବିତ୍ତୀୟ ନିଅଣ୍ଟ ବଢ଼ିପାରେ । ଏହାଦ୍ୱାରା ରପ୍ତାନି କମିପାରେ । ବିଦେଶୀ ମୁଦ୍ରା ସଂଗ୍ରହ କମିପାରେ । ଫଳରେ ଟଙ୍କା ଚାପ ମଧ୍ୟରେ ରହିଛି । ୨୦୨୫ ଜୁଲାଇରୁ ଏଯାବତ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ମାନେ ୧.୫୫ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଭାରତୀୟ ଆସେଟ୍ ବିକ୍ରି କରିଦେଇଛନ୍ତି । ଆମେରିକା ବାଣିଜ୍ୟ ଶୁଳ୍କଜନିତ ଚିନ୍ତା ଯୋଗୁ ବିଦେଶୀ ପୁଞ୍ଜି ପ୍ରତ୍ୟାହୃତ ହେଉଛି । ଫଳରେ ଡଲାର ଚାହିଦା ବୃଦ୍ଧି ପାଇଛି, ଯାହା ଟଙ୍କାକୁ ତଳକୁ ତଳକୁ ନେଉଛି । ତେଲ ଏବଂ ସୁନା କମ୍ପାନି ହେଜିଂ ପାଇଁ ଡଲାର କିଣୁଛନ୍ତି । ଅନ୍ୟ ଆମଦାନିକାରୀମାନେ ଟାରିଫ୍ ଅନିଶ୍ଚିତତା ଯୋଗୁ ଡଲାର ମହଜୁଦ ରଖୁଛନ୍ତି । ଫଳରେ ଟଙ୍କା ଉପରେ ଚାପ ପଡୁଛି ।












Click it and Unblock the Notifications