ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପରଷୋତ୍ତମ ରୂପାଲା ଓ ସର୍ବାନନ୍ଦ ସୋନୱାଲ
କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ସର୍ବାନନ୍ଦ ସୋନୱାଲ ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାଛଧରା ପୋତାଶ୍ରୟ ପ୍ରକଳ୍ପକୁ ୧୮ ମାସର ଅବଧିରେ କାର୍ଯ୍ୟକାରୀ କରାଯାଉଛି ।
ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସହ ସମନ୍ୱୟ ସ୍ଥାପନ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

ପ୍ରାୟ ୪୩ ଏକର ପରିମିତ ପାରାଦୀପ ମାଛଧରା ପୋତାଶ୍ରୟ ଜଗତସିଂହପୁର ଜିଲ୍ଲାର ନଦୀ ମୁହାଣଠାରୁ ୨ କିଲୋମିଟର ଉପରମୁଣ୍ଡରେ ମହାନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରମୁଖ ମାଛଧରା ପୋତାଶ୍ରୟ । ଏଠାରେ ପ୍ରଥମେ ୩୭୦ ନମ୍ବର ୧୦ ମିଟର ଜାହାଜ, ୮୦ ନମ୍ବର ୧୩ ମିଟର ଜାହାଜ ଏବଂ ୫୦ ନମ୍ବର ୧୫ ମିଟର ଜାହାଜ ଏବଂ ପାରମ୍ପରିକ ଡଙ୍ଗା ରଖାଯାଇଥିଲା । ବର୍ତ୍ତମାନ ପ୍ରାୟ ୬୪୦ ନମ୍ବର ୧୫ ମିଟର ଜାହାଜ ଏବଂ ୧୦୦ ନମ୍ବର ୯ ମିଟର ଗିଲ ନେଟ୍ଟର (ଏଫଆରପି ବୋଟ୍) ପୋତାଶ୍ରୟ ସୁବିଧା ବ୍ୟବହାର କରୁଛନ୍ତି ।
ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ଦ୍ୱାରା ଏହାର ସ୍ୱଚ୍ଛତା ପରିବେଶରେ ଉନ୍ନତି ଆସିବ । ପୋତାଶ୍ରୟକୁ ସ୍ୱଚ୍ଛତା, ପ୍ରଦୂଷଣ ମୁକ୍ତ, ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିରୁ ଉନ୍ନତ କରିବା, ନୂତନ, ଦକ୍ଷ ଓ ଅତ୍ୟାବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବା, ମାଛ ଧରିବା ପ୍ରକ୍ରିୟାକୁ ଯାନ୍ତ୍ରିକୀକରଣ କରିବା ତଥା ଦକ୍ଷ ପରିଚାଳନା ସଂସ୍ଥା ଦ୍ୱାରା ଉତ୍ତମ ପରିଚାଳନା ଅଭ୍ୟାସ ପ୍ରଦାନ କରାଯିବ । ମାଛଧରା ବନ୍ଦରର ଏହି ଆଧୁନିକୀକରଣ ଦ୍ୱାରା ଜୀବିକା ପାଇଁ ପୋତାଶ୍ରୟ ଉପରେ ନିର୍ଭର କରୁଥିବା ହଜାର ହଜାର ମତ୍ସ୍ୟଜୀବୀ ଏବଂ ଆନୁସଙ୍ଗିକ ଶ୍ରମିକଙ୍କ ଜୀବନରେ ଉନ୍ନତି ଆସିବ । ଉପରୋକ୍ତ ପ୍ରକଳ୍ପ ଅଧୀନରେ ହୋଇଥିବା ଆଧୁନିକୀକରଣ ଏବଂ ମୂଲ୍ୟ ସଂଯୋଜନ କାର୍ଯ୍ୟକଳାପ ମଧ୍ୟ କୁଶଳୀ ଏବଂ ଅଣକୁଶଳୀ ବର୍ଗରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପରେ ଏକ ନୂତନ ନିଲାମ ହଲ୍, ନୂତନ ବାଣିଜ୍ୟିକ କମ୍ପ୍ଲେକ୍ସ, କ୍ୱାଏ ପାଚେରି ସମ୍ପ୍ରସାରଣ, ଉପକୂଳ ସୁରକ୍ଷା କାର୍ଯ୍ୟ, ବର୍ତ୍ତମାନର ନିଲାମ ହଲ୍, ଗିଅର୍ ସେଡ୍, ମାଛ ପ୍ୟାକିଂ ସେଡ୍, ଆଇସ୍ କ୍ରସିଂ ହଲ୍, ପ୍ରାଥମିକ ଚିକିତ୍ସା କେନ୍ଦ୍ର, କମ୍ପାଉଣ୍ଡ କାନ୍ଥ ନିର୍ମାଣ, ବିଦ୍ୟୁତ୍ କାର୍ଯ୍ୟ, ଓଭରହେଡ୍ ପାଣି ଟାଙ୍କି, ସୌର ଶକ୍ତି ପ୍ଲାଣ୍ଟ, ସୋଲାର ଲାଇଟ୍ ନିର୍ମାଣ କରାଯିବ। ଏହାବ୍ୟତୀତ ଦିଗ ନିର୍ଣ୍ଣୟ ସହାୟତା/ରେଡିଓ ଯୋଗାଯୋଗ ଉପକରଣ, ଇଟିପି, ଅଗ୍ନିଶମ ଉପକରଣ, ମାର୍କେଟ କମ୍ପ୍ଲେକ୍ସ ଏବଂ ରାସ୍ତା ନିର୍ମାଣ, ଅନ୍ୟ ଆନୁସଙ୍ଗିକ ସୁବିଧା ଏବଂ ସେବା ସହିତ ଲ୍ୟାଣ୍ଡସ୍କେପିଂ ଇତ୍ୟାଦି କାର୍ଯ୍ୟ ମଧ୍ୟ ଏଥିରେ ସାମିଲ ରହିଛି ।
ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହିବେ। ଏହି ଶିଳାନ୍ୟାସ ସମାରୋହରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିକାଶ ବୋର୍ଡ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ମତ୍ସ୍ୟ ସର୍ବେକ୍ଷଣସଂସ୍ଥା, ମତ୍ସ୍ୟଜୀବୀ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଯୋଗ ଦେବେ।












Click it and Unblock the Notifications