କିଛି ଲୋକଙ୍କୁ ଲାଗୁଛି ମନ୍ଦିର-ମସଜିଦ ବିବାଦ ଉଠାଇ ହିନ୍ଦୁଙ୍କ ନେତା ହୋଇଯିବେ: ମୋହନ ଭାଗବତ
ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଗୁରୁବାର ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି । 'ବିଶ୍ୱଗୁରୁ ଭାରତ' ଶୀର୍ଷକ ବକ୍ତୃତାମାଳାରେ ଉଦ୍ବୋଧନ ଦେବାବେଳେ ଭାଗବତ କହିଥିଲେ, ରାମମନ୍ଦିର ହିନ୍ଦୁମାନଙ୍କ ବିଶ୍ୱାସର ଏକ ବିଷୟ।
ରାମମନ୍ଦିର ନିର୍ମାଣ ହେବା ଉଚିତ ବୋଲି ହିନ୍ଦୁମାନେ ବିଶ୍ୱାସ କରୁଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ କେତେଜଣ ବ୍ୟକ୍ତି ହିନ୍ଦୁମାନଙ୍କ ନେତା ହୋଇପାରିଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରିଛନ୍ତି । ତେବେ ତାହା କରି, କେହି ହିନ୍ଦୁ ନେତା ହୋଇଯିବେ ନାହିଁ ।
ମନ୍ଦିର-ମସ୍ଜିଦ ବିବାଦ ମୁଣ୍ଡ ଟେକୁଛି । ସେଗୁଡ଼ିକୁ କିପରି ଅନୁମତି ଦିଆଯାଉଛି ବୋଲି ଭାଗବତ ପ୍ରଶ୍ନ କରିଛନ୍ତି । ଭାରତରେ ବହୁବର୍ଷ ଧରି ବିଭିନ୍ନ ଧର୍ମ, ଜାତି ଓ ବିଚାରଧାରାର ଲୋକମାନେ ସଦ୍ଭାବନାର ସହ ବସବାସ କରିଆସୁଛନ୍ତି । ସମାବେଶୀ ସମାଜ ସପକ୍ଷରେ ମତ ରଖି ଭାଗବତ କହିଥିଲେ, ଭାରତ ସଦ୍ଭାବନା ସହ ଏକତ୍ର ରହିପାରିଥିବା ବିଶ୍ୱକୁ ଦେଖାଇବାକୁ ହେବ। ବିଶ୍ୱ ଦ୍ୱାରା ଗୃହୀତ ହୋଇପାରିବା ଭଳି ଦେଶରେ ସଦ୍ଭାବନାର ଏକ ମଡେଲ ବିକଶିତ କରିବାକୁ ହେବ ।

ସୂଚନାଯୋଗ୍ୟ, ବିଭିନ୍ନ ମସ୍ଜିଦ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ କରି ସେଗୁଡ଼ିକର ସର୍ଭେ ପାଇଁ ଅଦାଲତରେ ଦାବି କରାଯାଉଛି । ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଦେଶବ୍ୟାପୀ ଏକ ନିର୍ଦ୍ଦେଶନାମା ଜାରି କରି ଏଭଳି ନୂଆ ମାମଲା ଗ୍ରହଣ ନ କରିବା ଏବଂ ମସ୍ଜିଦ ତଳେ ମନ୍ଦିର ଢାଞ୍ଚା ଥିଲା କି ନାହିଁ ସର୍ଭେ କରାଇବାକୁ ନିର୍ଦ୍ଦେଶ ନ ଦେବା ପାଇଁ ଅଦାଲତଗୁଡ଼ିକୁ କହିଥିଲେ ।
ଦେଶର ବିଭିନ୍ନ ଭାଗରେ ମନ୍ଦିର-ମସ୍ଜିଦ ବିବାଦ ବଢ଼ିବାରେ ଲାଗିଥିବାରୁ ଭାଗବତ ଚିନ୍ତାବ୍ୟକ୍ତ କରିଛନ୍ତି । ନୂଆ ନୂଆ ସ୍ଥାନରେ ମନ୍ଦିର-ମସ୍ଜିଦ ବିବାଦ ଛିଡ଼ା କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆର୍ଏସ୍ଏସ୍ ମୁଖ୍ୟ କହିଛନ୍ତି ।












Click it and Unblock the Notifications