ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଜବତ ହେଲା ନଗଦ ୭ କୋଟି ଟଙ୍କା
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି । ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣା ସମୟରେ ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଜବତ ହୋଇଛି । ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ବିଶାଖାପାଟଣା ଅଭିମୁଖେ ଏକ ଗାଡ଼ି ଯାଉଥିଲା ।
ଅନନ୍ତପାଲ୍ଲୀ ନିକଟରେ ଗାଡ଼ିଟି ଗୋଟିଏ ଲରିକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳର ପହଞ୍ଚିଥିଲା । ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ୭ଟି ପେଟି ମିଳିଥିଲା । ପୁଲିସ ତାହାକୁ ଖୋଲିବା ପରେ ସେଥିରେ ବିଡ଼ା ବିଡ଼ା ଟଙ୍କା ରଖାଯାଇଥିବା ଜଣାପଡ଼ିଥିଲା ।

ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ଟଙ୍କାକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ଆହତ ଡ୍ରାଇଭରକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଆନ୍ଧ୍ର ପ୍ରଦେଶର ଏନ୍ଟିଆର୍ ଜିଲ୍ଲାରୁ ପୁଲିସକୁ ବଡ଼ ସଫଳତା ମିଳିଥିଲା । ଚେକିଂ ବେଳେ ଏଠାରୁ ଏକ ପାଇପ୍ ଲଦା ହୋଇଥିବା ଟ୍ରକ୍ ଭିତରୁ ନଗଦ ୮ କୋଟି ଟଙ୍କା ମିଳିଥିଲା । ଏହି ମାମଲାରେ ପୁଲିସ ଟ୍ରକ୍ ଓ ଟଙ୍କାକୁ ଜବତ କରିଥିଲା । ଏଥିସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗୋରଖପୁର ଚେକ୍ ପୋଷ୍ଟରେ ଚେକିଂ ବେଳେ ଏହି ଟଙ୍କା ଧରାପଡିଥିଲା ।












Click it and Unblock the Notifications